ନୂଆଦିଲ୍ଲୀ: ଜରୁରିକାଳୀନ ପରିସ୍ଥିତିର ୫୦ ବର୍ଷ ପୂର୍ତ୍ତିକୁ କେନ୍ଦ୍ର ସରକାର ‘ସମ୍ବିଧାନ ହତ୍ୟା ଦିବସ’ ଭାବେ ପାଳନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ କଂଗ୍ରେସ ଦ୍ବାରା ସଂସଦର ସ୍ବରକୁ ଚାପି ଦିଆଯାଇଥିଲା ଏବଂ କୋର୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା। ଏହାକୁ କୌଣସି ଭାରତୀୟ କେବେ ଭୁଲିପାରିବେ ନାହିଁ। ଏହାକୁ ଭାରତର ଗଣତାନ୍ତ୍ରିକ ଇତିହାସର ସବୁଠାରୁ କଳା ଅଧ୍ୟାୟ ମଧ୍ୟରୁ ଗୋଟିଏ ବୋଲି ଅଭିହିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କଂଗ୍ରେସ ଦ୍ୱାରା ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବା କେବଳ ସମ୍ବିଧାନର ଆତ୍ମାକୁ ଉଲ୍ଲଂଘନ କରିନାହିଁ ବରଂ ଗଣତନ୍ତ୍ରକୁ ବନ୍ଦୀ କରିଛି।   ଏକ୍ସରେ ଏକ ପୋଷ୍ଟ୍‌ କରି ମୋଦୀ ଲେଖିଛନ୍ତି, ‘ଏହି ଦିନ, ଭାରତୀୟ ସମ୍ବିଧାନରେ ଲିଖିତ ମୂଲ୍ୟବୋଧଗୁଡ଼ିକୁ ପାଶୋରି ଦିଆଯାଇଥିଲା, ମୌଳିକ ଅଧିକାରକୁ ସ୍ଥଗିତ ରଖାଯାଇଥିଲା, ପ୍ରେସ୍ ସ୍ୱାଧୀନତାକୁ ନିଷ୍କ୍ରିୟ କରାଯାଇଥିଲା ଏବଂ ଅନେକ ରାଜନୈତିକ ନେତା, ସାମାଜିକ କର୍ମୀ, ଛାତ୍ର ଏବଂ ସାଧାରଣ ନାଗରିକଙ୍କୁ ଜେଲ୍‌ରେ ରଖାଯାଇଥିଲା। ସେତେବେଳେ କଂଗ୍ରେସ ସରକାର ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରି କେବଳ ଦମନକୁ ହିଁ ପ୍ରାଥମିକତା ଦେଇଥି‌ଲା। 

Advertisment

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଜୁନ୍ ୧୯୭୫ ରୁ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଥିଲା।  ଏହି ସମୟରେ ନାଗରିକ ସ୍ୱାଧୀନତାକୁ ସ୍ଥଗିତ ରଖାଯାଇଥିଲା ଏବଂ ବିରୋଧୀ ନେତା ଓ ପ୍ରେସ୍ ସ୍ୱାଧୀନତା ଉପରେ  ନିର୍ମମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ବିଭିନ୍ନ ରାଜ୍ୟରେ କଂଗ୍ରେସ ସରକାର ବିରୋଧରେ ଜନ ବିରୋଧ ଏବଂ ଆହ୍ଲାବାଦ ହାଇକୋର୍ଟ ରାୟବରେଲିରୁ ଗାନ୍ଧୀଙ୍କ ନିର୍ବାଚନକୁ ଅକାମୀ ଘୋଷଣା କରିବା ମଧ୍ୟରେ ଏହି ସ୍ଥିତି ଉପୁଜିଥିଲା।  ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ କିପରି ବିବାଦୀୟ ୪୨ତମ ସମ୍ବିଧାନ ସଂଶୋଧନ ମାଧ୍ୟମରେ କୋର୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା।  ମୋଦୀ କହିଛନ୍ତି, ଯେଉଁଭଳି ଭାବରେ ଆମ ସମ୍ବିଧାନର ଆତ୍ମାକୁ ଉଲ୍ଲଂଘନ କରାଯାଇଥିଲା, ସଂସଦର ସ୍ୱରକୁ କଣ୍ଠରୋଧ କରାଯାଇଥିଲା ଏବଂ କୋର୍ଟଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଇଥିଲା, ତାହାକୁ କୌଣସି ଭାରତୀୟ କେବେ ଭୁଲିପାରିବେ ନାହିଁ। ୪୨ତମ ସଂଶୋଧନ ସେମାନଙ୍କର ହୀନମନ୍ୟତାର ଏକ ପ୍ରମୁଖ ଉଦାହରଣ। ଗରିବ, ଅବହେଳିତ ଏବଂ ଦଳିତମାନଙ୍କୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା, ସେମାନଙ୍କ ମର୍ଯ୍ୟାଦାକୁ ଅପମାନିତ କରାଯାଇଥିଲା, ବୋଲି ମୋଦୀ କହିଛନ୍ତି। ଜରୁରୀକାଳୀନ ପରିସ୍ଥିତି ବିରୁଦ୍ଧରେ ଦୃଢ଼ ଲଢ଼େଇରେ ଠିଆ ହୋଇଥିବା ଲୋକମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ସେମାନଙ୍କର ସାମୂହିକ ସଂଘର୍ଷ ହିଁ ଦେଶକୁ ଗାଣତାନ୍ତ୍ରିକ ପ୍ରକ୍ରିୟା ଭିତରକୁ ପୁଣି ଫେରାଇ ଆଣିଥିଲା।