ରାମେଶ୍ୱରମ୍‌ ଉପକୂଳର ଏକ ଗ୍ରାମରେ ମାଟି ତଳୁ ମିଳିଲା ୫୦୦୦ ଗୁଳି

ମଦୁରାଇ (ତାମିଲନାଡ଼ୁ): ତାମିଲନାଡ଼ୁର ରାମେଶ୍ୱରମ୍‌ ଉପକୂଳ ସ୍ଥିତ ଏକ ଗ୍ରାମରୁ ରାମନାଥପୁରମ ଜିଲ୍ଲା ପୁଲିସ୍‌ ଗତ ସୋମବାର ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜାଣିବାକୁ ମିଳିଛି। ତେବେ, ଏହି ବିସ୍ଫୋରକ ସାମଗ୍ରୀ ସହିତ କୌଣସି ପ୍ରକାରର ମାରଣାସ୍ତ୍ର ପୁଲିସ୍‌କୁ ମିଳିନାହିଁ। ମିଳିଥିବା ଏହି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟରେ ୫୦୦୦ରୁ ଉର୍ଦ୍ଧ୍ୱ ଗୁଳି ରହିଥିବା ଓ ଏସବୁ ୨୫ ବର୍ଷ ତଳର ପୁରୁଣା ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ରାମେଶ୍ୱର ଉପକୂଳରେ ଥିବା ଥାଙ୍ଗଚିମାଡାମ୍‌ ଗ୍ରାମରେ ଜଣେ ଧୀବର ତାଙ୍କ ଘର ପଛପଟେ ଏକ ପାଇଖାନା ନିର୍ମାଣ ପାଇଁ ଗୋଟିଏ ସେପ୍‌ଟିକ୍‌ ଟାଙ୍କି ଖୋଳୁଥିବା ବେଳେ ମାଟି ଭିତରେ ବିସ୍ଫୋରକ ସାମଗ୍ରୀରେ ଭର୍ତ୍ତି ଥିବା ଗୋଟିଏ ପେଟି ଦେଖିବାକୁ ପାଇଥିଲେ। ଏଘଟଣା ସଂପର୍କରେ ସେ ରାମନାଥପୁରମ ଥାନାରେ ଖବର ଦେବାପରେ ରାମଡ଼ାଥପୁରମ ଡିଏସ୍‌ପି ଓମ୍‌ପ୍ରକାଶ ମୀନାଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଖୋଳାଖୋଳି କରି ସେଠାରୁ ଦୁଇଟି ପେଟି ବିସ୍ଫୋରକ ସାମଗ୍ରୀ (ଗୁଳିଗୋଳା) ଜବତ କରିଥିଲେ। ତେବେ, ୨୫ ବର୍ଷ ତଳର ପୁରୁଣା ଏହି ସମସ୍ତ ଗୁଳିଗୋଳା କେଉଁଠାରେ ନିର୍ମିତ ହୋଇଛି ଓ ଏସବୁ ସେଠାକୁ କିପରି ଓ କେମିତି ଆସିଲା ସେ ସଂପର୍କରେ ପୁଲିସ୍‌ ପକ୍ଷରୁ ତଦନ୍ତ ଅବ୍ୟାହତ ରହିଛି।

ସମ୍ବନ୍ଧିତ ଖବର