ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ୫ ହଜାର ଟଙ୍କା । ଗତ ସୋମବାର ମୋଦୀ ସରକାର ଦେଶରେ ଦୁର୍ଘଟଣାଜନିତ ମୃତ୍ୟୁକୁ କମ କରିବାକୁ ଯାଇ ଏଭଳି ଏକ ଯୋଜନାର ଆରମ୍ଭ କରିଛନ୍ତି । ତେବେ ରାସ୍ତା ଉପରେ ଦୁର୍ଘଟଣା ଶିକାର ହୋଇଥିବା ବ୍ୟକ୍ତିଙ୍କୁ ୧ ଘଣ୍ଟା ଭିତରେ ହସ୍ପିଟାଲରେ ପହଞ୍ଚାଇଲେ ଜଣେ ବ୍ୟକ୍ତି ଏହି ଯୋଜନାର ଲାଭ ଉଠାଇପାରିବେ ।

କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସଚିବମାନଙ୍କୁ ଚିଠି ଲେଖି ସୂଚନା ଦିଆଯାଇଛି । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଏହି ଯୋଜନା ଅକ୍ଟୋବର ୧୫ ତାରିଖ ୨୦୨୧ରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଲାଗୁ ରହିବ ।

ସୋମବାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ସାହାଯ୍ୟକାରୀଙ୍କୁ ଏହି ଯୋଜନାରେ ପୁରସ୍କାର ଦିଆଯିବ । ଆପାତଃକାଳୀନ ସ୍ଥିତିରେ ସଡକ ଦୁର୍ଘଟଣାର ଶିକାର ହୋଇଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଏହା ଲୋକଙ୍କୁ ପ୍ରେରିତ କରିବ । ପୁରସ୍କାର ସାଙ୍ଗକୁ ଏଥିରେ ସେହି ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ମଧ୍ୟ ଦିଆଯିବ । ସେହିପରି ସବୁଠୁ ଭଲ ସାହାଯ୍ୟକାରୀଙ୍କୁ ରାଷ୍ଟ୍ରୀୟ ସ୍ତରରେ ଏକ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ଦେଶରେ ପ୍ରାୟ ୫ ଲକ୍ଷ ସଡକ ଦୁର୍ଘଟଣା ଘଟୁଛି । ଯେଉଁଥିରେ ପ୍ରାୟ ଦେଢ ଲକ୍ଷ ଲୋକ ନିଜର ଆଖି ବୁଜୁଛନ୍ତି । ତା ସହିତ ସାଢେ ୪ଲକ୍ଷ ଲୋକ ବିଭିନ୍ନ ସଡକ ଦୁର୍ଘଟଣାରେ ଆହତ ହେଉଛନ୍ତି । ସଡକ ଦୁର୍ଘଟଣାରେ ବଢୁଥିବା ମୃତକଙ୍କ ସଂଖ୍ୟାକୁ କମ କରିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି । ୨୦୨୫ ସୁଦ୍ଧା ଏହି ସଂଖ୍ୟା ୫୦ ପ୍ରତିଶତ କମ କରିବାକୁ ସରକାର ଚେଷ୍ଟା ଚଳାଇଛନ୍ତି ।

ସମ୍ବନ୍ଧିତ ଖବର