ନୂଆଦିଲ୍ଲୀ: କୃଷକମାନେ ତ୍ରିରଙ୍ଗା ସହ ନିଜ କ୍ଷେତକୁ ଯୋଡ଼ିଦେଲେ। ସୈନିକମାନଙ୍କ ଭଳି କୃଷକମାନେ ବି ପରେଡ୍ କରିବେ। ନୂଆ କୃଷି ଆଇନକୁ ବିରୋଧ କରି ଆସନ୍ତାକାଲି ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ପୂର୍ବ ନିର୍ଦ୍ଧାରିତ ରୁଟ୍ ଚାର୍ଟ ଅନୁଯାୟୀ ଟ୍ରାକ୍ଟର ରୢାଲି ହେବ। ଏହି ରୢାଲିରେ ୫ ହଜାର ଟ୍ରାକ୍ଟର ଏବଂ ୫ ହଜାର ଲୋକ ସାମିଲ ହେବା ପାଇଁ ଦିଲ୍ଲୀ ପୁଲିସଠାରୁ ଅନୁମତି ମିଳିଛି। ଟ୍ରାକ୍ଟର ରୢାଲି କାରଣରୁ ସାଧାରଣ ଯାତାୟତ ପାଇଁ ଡାଇଭରସନ୍ ରୁଟ୍ଗୁଡ଼ିକ ହେଉଛି ଏନ୍ଏଚ୍-୪୪ ଜିଟି ରୋଡ ଟ୍ରାଫିକ୍ରୁ ସିଂଘୁ ଶନି ମନ୍ଦିର, ଅଶୋକ ଫାର୍ମ, ସୁନ୍ଦରପୁର, ମୁକରବା ଚୌକ । ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଆନନ୍ଦ ବିହାର ରେଳ ଷ୍ଟେସନରୁ ଟ୍ରେନ୍ ଚଳାଚଳ ବନ୍ଦ ରହିବ। ସକାଳ ୮ଟା ପୂର୍ବରୁ କେବଳ ଦୁଇଟି ଟ୍ରେନ୍ ଏଠାରୁ ଛାଡ଼ିବ। ଏହାପରେ ସନ୍ଧ୍ୟା ସୁଦ୍ଧା ଯିବାକୁ ଥିବା ୬ଟି ଟ୍ରେନ୍ରୁ ଗୋଟିଏ ବାତିଲ ହେବ ଏବଂ ଅନ୍ୟ ୫ଟି ରାତି ୮ଟା ପରେ ଚଳାଚଳ କରିବ।
ବଜେଟ୍ ଦିବସରେ ସଂସଦ ଅଭିମୁଖେ ପଦଯାତ୍ରା କରିବେ ଚାଷୀ
ନୂଆଦିଲ୍ଲୀ : ଟ୍ରାକ୍ଟର୍ ରୢାଲି କରିବାର ଦିନକ ପୁର୍ବରୁ ଆନ୍ଦୋଳନରତ ଚାଷୀମାନେ ଆଜି ସେମାନଙ୍କ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଘୋଷଣା କରିଛନ୍ତି। ଆସନ୍ତା ଫେବ୍ରୁଆରି ୧ ତାରିଖରେ କୃଷକମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ। ବିଭିନ୍ନ ସ୍ଥାନରୁ ଚାଷୀମାନେ ସଂସଦ ଅଭିମୁଖେ ପଦଯାତ୍ରା କରିବେ ବୋଲି କ୍ରାନ୍ତୀକାରୀ କିଷାନ୍ ସଂଗଠନର ଦର୍ଶନ ପାଲ୍ କହିଛନ୍ତି। ଆଇନ ପ୍ରତ୍ୟାହାର ପାଇଁ ସରକାରଙ୍କ ଉପରେ ଚାପ ପକାଇବା ଲାଗି କୃଷକମାନେ ଭିନ୍ନ ତରିକା ଆପଣାଉଛନ୍ତି। ଗତ ଡିସେମ୍ବରରେ ସେମାନେ ଦେଶବ୍ୟାପୀ ବନ୍ଦ ପାଳନ କରିଥିଲେ। ଆନ୍ଦୋଳନରତ ଚାଷୀମାନେ ମଧ୍ୟ ସରକାରଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। କିନ୍ତୁ ଏଯାବତ୍ ସରକାରଙ୍କ ସହ ୧୧ ଥର କଥାବାର୍ତ୍ତା ସରିଥିଲେ ସୁଦ୍ଧା କୌଣସି ନିଷ୍କର୍ଷ ବାହାରି ପାରିନି।
ଟ୍ରାକ୍ଟର ରାଲି ପୂର୍ବରୁ ଶାହଙ୍କ ଉଚ୍ଚସ୍ତରୀୟ ବୈଠକ
ସାଧାରଣତନ୍ତ୍ର ଦିବସରେ କୃଷକମାନେ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବେ। ଏହି ଟ୍ରାକ୍ଟର ରାଲିର ଅବ୍ୟବହିତ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ବୈଠକରେ ଦିଲ୍ଲୀ ପୁଲିସ କମିସନର, ଆଇବି ମୁଖ୍ୟ ଏବଂ ଅନ୍ୟମାନେ ଯୋଗ ଦେଇଛନ୍ତି। ରାଲି ପାଇଁ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହାର ସମୀକ୍ଷା ଗୃହମନ୍ତ୍ରୀ ଏହି ବୈଠକରେ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/fs4hsfh798h798fsh798h798fsh.jpg)