ହରିୟାଣାର ସିନ୍ଧୁ ଉପତ୍ୟକାସ୍ଥଳ ରାଖୀଗଢ଼ୀରୁ ୫୦୦୦ ବ‌ର୍ଷ ତଳର  ଅଳଙ୍କାର କାରଖାନା ଆବିଷ୍କୃତ

ହିସାର୍‌: ଦୀର୍ଘ ୩୨ ବର୍ଷ ହେବ ହରିୟାଣାର ରାଖୀଗଢ଼ୀରେ ଉତ୍‌ଖନନ  କରୁଥିବା ‘ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ’ (ଏଏସ୍‌ଆଇ) ଗୋଟାଏ ୫୦୦୦ ବର୍ଷ ତଳର  ଅଳଙ୍କାର ତିଆରି କାରଖାନା ଆବିଷ୍କାର କରିଛି।

ଉତ୍‌ଖନନ ପରେ ଉକ୍ତ ସ୍ଥାନରୁ ବାହାରି ଥିବା କେତେକ ଘରର  ମୂଳଦୁଆ, ରୋଷଘର ଏବଂ ଗୋଟାଏ ୫୦୦୦ ବର୍ଷର ପୁରାତନ ଅଳଙ୍କାର ତିଆରି କାରଖାନା ଆବିଷ୍କୃତ ହୋଇଥିବାରୁ ସ୍ଥାନଟି ଗୁରୁତ୍ବପୂର୍ଣ୍ଣ ବାଣିଜ୍ୟସ୍ଥଳୀ ହେଉଥିବା ପରି ମନେହେଉଛି। ହଜାର ହଜାର ବର୍ଷ ପୂର୍ବରୁ ସେଠାରେ ପୋତି ହୋଇ ରହିଥିବା ତମ୍ବା ଓ ସ୍ବର୍ଣ୍ଣ ଅଳଙ୍କାର ମଧ୍ୟ ବାହାରିଛି।

Image Courtesy of India Today

‘ଭାରତୀୟ ପ୍ରତ୍ନତତତ୍ତ୍ବ ସର୍ବେକ୍ଷଣ’ର ଅତିରିକ୍ତ ମହାନିର୍ଦେଶକ ଡକ୍ଟର୍‌ ସଞ୍ଜୟ ମଞ୍ଜୁଳ କହିଛନ୍ତି, ଆମେ ସିନାଉଲି, ହସ୍ତିନାପୁର ଏବଂ ରାଖୀଗଢ଼ୀରେ ଗତ ୨୦ ବର୍ଷ ହେବ କାମ କରିଆସୁଛୁ। ରାଖୀଗଢ଼ୀ ବାସିନ୍ଦାମାନେ ହସ୍ତିନାପୁରବାସୀଙ୍କ ପୂର୍ବଜ ଥିଲେ ବୋଲି ଆପଣମାନେ କହିପାରନ୍ତି। ସେଥିରୁ ସଂସ୍କୃତିର ବିକାଶ ଓ ଅଗ୍ରଗତି ହୋଇଛି।

ଗତ ଦୁଇ ମାସ ହେବ ‘ଭାରତୀୟ ପ୍ରତ୍ନତତତ୍ତ୍ବ ସର୍ବେକ୍ଷଣ’ ରାଖୀଗଢ଼ୀରୁ ସେ ସମୟର  ସଭ୍ୟତାର ଅଗ୍ରଗତିକୁ ପ୍ରମାଣ କରୁଥିବା ଅନେକ ସାମଗ୍ରୀ ଆବିଷ୍କାର କରିଛି।

ସେହିପରି, ଉତ୍ତର ପ୍ରଦେଶର ସିନାଉଲିରୁ ମଧ୍ୟ ୨୦୧୮ରେ କାଂସ୍ୟା ଯୁଗର କଠିନ ଗୋଲାକାର ଚକଲଗା ଶଗଡ଼  ମିଳିଥିଲା। କେତେକଙ୍କ ମତରେ ତାହା ହେଉଛି ଘୋଡ଼ାଟଣା ରଥ। ଉତ୍‌ଖନନସ୍ଥଳୀ ଅଞ୍ଚଳରେ ସମାଧିସ୍ଥଳ ମଧ୍ୟ ଆବିଷ୍କୃତ ହୋଇଥିଲା। ମୃତ୍ୟୁ ପରେ ଜୀବନ ଥିବା କଥା ସେତେବେଳ ଉକ୍ତ ସଭ୍ୟତାରେ ଲୋକବିଶ୍ବାସ ପ୍ରଚଳନ ଥିଲା ବୋଲି ଏଥିରୁ ଜଣାପଡ଼େ।

ସମ୍ବନ୍ଧିତ ଖବର