ଇସଲାମାବାଦ: ପାକିସ୍ତାନରୁ ତୀର୍ଥଯାତ୍ରା ପାଇଁ ଇରାକକୁ ଯାଇଥିବା ପ୍ରାୟ ୫୦ ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ପାକିସ୍ତାନ ସରକାରଙ୍କ ଧାର୍ମିକ ବ୍ୟାପାର ମନ୍ତ୍ରୀ ଚୌଧୁରୀ ସାଲିକ ହୁସେନ୍ ଏହି ସୂଚନା ଦେଇଛନ୍ତି। ପାକିସ୍ତାନୀ ସିନେଟ କମିଟିର ଏକ ବୈଠକରେ ଚୌଧୁରୀ ସ୍ୱୀକାର କରିଛନ୍ତି, ଇରାକରୁ ପ୍ରାୟ ୫୦ ହଜାର ପାକିସ୍ତାନୀ ତୀର୍ଥଯାତ୍ରୀ ସ୍ବଦେଶ ଫେରି ନାହାନ୍ତି ଏବଂ ସେଠାରେ ନିଖୋଜ ହୋଇଛନ୍ତି।
ତେବେ ଏହା ପଛର କାରଣ ଏବଂ ତାଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ସେ ଅଧିକ ସୂଚନା ଦେଇନାହାନ୍ତି। ଅନ୍ୟପକ୍ଷରେ, ଇରାକ ସରକାର ବିଶ୍ୱାସ କରନ୍ତି ଯେ ନିଖୋଜ ପାକିସ୍ତାନୀମାନେ ତାଙ୍କ ଦେଶରେ ବେଆଇନ ଭାବେ କାମ କରୁଛନ୍ତି।
ମିଡିଲ୍ ଇଷ୍ଟ ଆଇ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଲକ୍ଷ ଲକ୍ଷ ବିଦେଶୀ ତୀର୍ଥଯାତ୍ରୀ ଇରାକକୁ ଆସନ୍ତି। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ଆସନ୍ତି ଏବଂ ଏହି ସଂଖ୍ୟା କୋଟି କୋଟି ଅଟେ। ତୀର୍ଥଯାତ୍ରାରେ ଭାଗ ନେବାକୁ ନିୟମିତ ଭାବେ ଇରାକକୁ ଆସୁଥିବା ପାକିସ୍ତାନର ଶିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟମାନେ ଅଧିକ ଥାନ୍ତି।
ଇରାକର ଶ୍ରମ ଓ ସାମାଜିକ ବ୍ୟାପାର ମନ୍ତ୍ରୀ ଅହମ୍ମଦ ଅଲ-ଆସାଦୀ କହିଛନ୍ତି ଯେ ନିଖୋଜମାନଙ୍କ ମଧ୍ୟରୁ କେତେକ ତାଙ୍କ ଦେଶରେ ବେଆଇନ ଭାବେ କାମ କରୁଥିବା ଖବର ତାଙ୍କ ସରକାର ଯାଞ୍ଚ୍ କରିବେ। ସେ କହିଛନ୍ତି ନିକଟ ଅତୀତରେ ଇରାକ ପାକିସ୍ତାନୀ ସମେତ ବିଭିନ୍ନ ଦେଶରୁ ପର୍ଯ୍ୟଟକଙ୍କ ଆଗମନକୁ ଦେଖିଛି। ସେମାନଙ୍କ ମଧ୍ୟରୁ ଅନେକ ଆବଶ୍ୟକ ଆଇନଗତ ଅନୁମତି ବିନା ଏଠାରେ କାମ କରିବା ଆରମ୍ଭ କରିଛନ୍ତି। ଇରାକ ବିଶ୍ବର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ସ୍ୱାଗତ କରେ କିନ୍ତୁ ସ୍ଥାନୀୟ ଆଇନ ଏବଂ ନିୟମାବଳୀକୁ ସମ୍ମାନ ଦେବା ଆବଶ୍ୟକତା ଉପରେ ଜୋର୍ ଦେଇଥାଏ ।
ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ୨୦୨୦ରେ ଇରାକରେ ୬୮୮ ଜଣ ପାକିସ୍ତାନୀ ବାସ କରୁଥିଲେ କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ରିପୋର୍ଟ ତୁଳନାରେ ବହୁ ଅଧିକ। ଉଭୟ ଦେଶର ସରକାର ମଧ୍ୟ ଏଥିପ୍ରତି ଧ୍ୟାନ ଦେଉଛନ୍ତି।
ଚଳିତ ମାସ ଆରମ୍ଭରେ, ପାକିସ୍ତାନ ଏବଂ ଇରାକ ବୁଝାମଣାପତ୍ର ସ୍ୱାକ୍ଷର କରି ପାକିସ୍ତାନୀମାନଙ୍କୁ ଇରାକ ପାଇଁ ୱାର୍କଭିସା ପାଇବା ସହଜ କରିବାକୁ ଲକ୍ଷ୍ୟ ରଖିଥିଲେ। ଯାହାଦ୍ୱାରା ଆଇନଗତ ଇମିଗ୍ରେସନକୁ ପ୍ରୋତ୍ସାହନ ଦିଆଯାଇପାରିବ ଏବଂ ଇରାକରେ ବେଆଇନ ପ୍ରବେଶକୁ ହ୍ରାସ କରାଯାଇପାରିବ।