ବେଜିଂ : ଚୀନର ଭେଷଜ କମ୍ପାନି ଚୀନ୍ ନ୍ୟାସନାଲ ବାୟୋଟେକ୍ ଗ୍ରୁପ୍(ସିଏନ୍ବିଜି) ଦ୍ବାରା ବିକଶିତ ଏକ କୋଭିଡ୍ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣରେ ଦଶଟି ରାଷ୍ଟ୍ରର ୫୦ ହଜାରରୁ ଅଧିକ ସ୍ବେଚ୍ଛାସେବୀ ସାମିଲ ହୋଇଥିବା କମ୍ପାନି ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ବାହାରିନ୍, ସଂଯୁକ୍ତ ଆରବ, ମରକୋ, ପେରୁ ଏବଂ ଆର୍ଜେଣ୍ଟିନା ଆଦି ଦେଶରେ ଚାଲିଥିବା ଏହି ପରୀକ୍ଷଣ ଚାଲିଛି। ସୂଚନା ଥାଉ କି, ସାଧାରଣତଃ ତୃତୀୟ ତଥା ଚୂଡ଼ାନ୍ତ ମାନବୀୟ ପରୀକ୍ଷଣ ଚଳାଇଥିବା ଦେଶମାନେ ଉକ୍ତ ଟିକାକୁ ନିଜ ଦେଶରେ ସାର୍ବଜନୀନ ବ୍ୟବହାର କରିବା ସମ୍ଭାବନା ଅଧିକ ରହିଛି। କାରଣ ଉକ୍ତ ପରୀକ୍ଷଣର ଫଳାଫଳରୁ ହିଁ ନିଜ ଦେଶବାସୀଙ୍କ ଠାରେ ସଂପୃକ୍ତ ଟିକାର ନିରାପତ୍ତା ଓ କାର୍ଯ୍ୟଦକ୍ଷତା ଠିକ୍ରେ ନିରୂପିତ ହୋଇଥାଏ। ପୂର୍ବରୁ ଜୁଲାଇରେ ମଧ୍ୟ ଉକ୍ତ ଟିକାର ଚୂଡ଼ାନ୍ତ ପରୀକ୍ଷଣ ଉଜ୍ବେକିସ୍ତାନରେ କରାଯିବା ପାଇଁ ସିଏନ୍ବିଜି ଘୋଷଣା କରିଥିଲା ଏବଂ ପାକିସ୍ତାନ ମଧ୍ୟ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିଲା। ଏ ପରିପ୍ରେକ୍ଷୀରେ ବିଦେଶୀ ରାଷ୍ଟ୍ରଗୁଡ଼ିକ ସିଏନ୍ବିଜି ପ୍ରସ୍ତୁତ ଏବଂ ଘୋଷିତ ହୋଇନଥିବା ଟିକାର ୫୦ କୋଟି ମାତ୍ରା ନେବା ପାଇଁ ବରାଦ କରିଥିବା କମ୍ପାନି ପକ୍ଷରୁ କୁହାଯାଇଛି। ବର୍ତ୍ତମାନ କମ୍ପାନି ବାର୍ଷିକ ୩୦ କୋଟି ମାତ୍ରା ପ୍ରସ୍ତୁତ କରିବାକୁ ସକ୍ଷମ ଥିବା ବେଳେ ଏହାକୁ ୧୦୦ କୋଟି ଯାଏ ବଢ଼ାଇବାକୁ ଜ୍ଞାନକୌଶଳର ବିକାଶ ଚାଲିଛି ବୋଲି ସିଏନ୍ବିଜିର ଉପମୁଖ୍ୟ ଝାଙ୍ଗ ୟୁଣ୍ଟାଓ କହିଛନ୍ତି। ସେହିପରି ଅନ୍ୟତମ ଚୀନ କମ୍ପାନି ସିନୋଭାକ୍ ଦ୍ବାରା ବିକଶିତ କରୋନାଭାକ୍ ନାମକ ଟିକାର ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ବ୍ରାଜିଲ ଓ ଇଣ୍ଡୋନେସିଆରେ ଜାରି ରହିଛି। ଏହି ଦୁଇ ପ୍ରକାର ଟିକାର ଚୂଡ଼ାନ୍ତ ପରୀକ୍ଷଣ ସରିନଥିଲେ ହେଁ ସଂକଟଜନକ ପରିସ୍ଥିତିରେ ରୋଗୀଙ୍କ ଠାରେ ଏହାର ପ୍ରୟୋଗ କରିବା ଲାଗି ଚୀନ ସରକାର ଅନୁମତି ଦେଇଛନ୍ତି। ଏପରିକି ୧୦ ହଜାରରୁ ଅଧିକ ଗୁରୁତର କୋଭିଡ୍-୧୯ ରୋଗୀଙ୍କୁ କରୋନାଭାକ୍ ଦିଆସରିଥିବା କମ୍ପାନି ପକ୍ଷରୁ କୁହାଯାଇଛି।
ଚୀନ୍ ଟିକାର ଚୂଡ଼ାନ୍ତ ପରୀକ୍ଷଣରେ ୫୦ ହଜାର ସ୍ବେଚ୍ଛାସେବୀ
୧୦ ରାଷ୍ଟ୍ରରେ ଚାଲିଛି ପରୀକ୍ଷା
/sambad/media/post_attachments/wp-content/uploads/2020/09/chine.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)