ବିଶ୍ବରେ କରୋନା ମୃତ୍ୟୁ ୫ ଲକ୍ଷ ଟପିଲା, ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ

ନୂଆଦିଲ୍ଲୀ: କରୋନାର କାୟା ଦିନକୁ ଦିନ ମେଲିଚାଲିଛି। ଏଥିରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ଦ୍ରୁତବେଗରେ ବଢ଼ୁଛି। ଆଜି ବିଶ୍ବରେ ୧,୭୬,୫୬୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗୋଟିଏ ଦିନରେ ୪୫୪୭ ଜଣ ଏହି ମାରାତ୍ମକ ରୋଗରେ ମୃତ୍ୟୁବରଣ କରିଛନ୍ତି। ଫଳରେ ବିଶ୍ବରେ କରୋନାଜନିତ ମୃତୁସଂଖ୍ୟା ୫ ଲକ୍ଷ ଟପିଯାଇଛି। ସେହିଭଳି ବିଶ୍ବରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ୧ କୋଟି ଅତିକ୍ରମ କରି ୧‌ କୋଟି ୧ ଲକ୍ଷ ୧୧ ହଜାର ଟପିଯାଇଛି ବୋଲି ୱାର୍ଲ ମିଟର ତଥ୍ୟରୁ ଜଣାଯାଇଛି। ତେବେ ଆଶ୍ବାସନାର ବିଷୟ ହେଲା ବିଶ୍ବରେ କରୋନା ଆକ୍ରାନ୍ତ ହୋଇଥିବା ୧ କୋଟିରୁ ଅଧିକ ଲୋକଙ୍କ ମଧ୍ୟରୁ ୪୧ ଲକ୍ଷ ୨୪ ହଜାର ୯୫୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି। ଅନ୍ୟପକ୍ଷରେ ୫୪ ଲକ୍ଷ ୮୪ ହଜାର ୮୦୦ରୁ ଅଧିକ ଲୋକ ବର୍ତ୍ତମାନ ସୁଦ୍ଧା ଏଥିରୁ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୯ ପ୍ରତିଶତଙ୍କ ଅବସ୍ଥା ଗୁରୁତର ନଥିବାବେଳେ ୧ ପ୍ରତିଶତ ପାଖାପାଖି ୫୮ ହଜାର ଲୋକଙ୍କ ଅବସ୍ଥା ସଂକଟଜନକ ରହିଛି।

ତେବେ ଆମେରିକାର ସ୍ଥିତି ସବୁଠୁ ଖରାପ ରହିଛି। ଏଠାରେ ପାଖାପାଖି ୨୬ ଲକ୍ଷ ଲୋକ କରୋନାରେ ପୀଡ଼ିତ ହୋଇଥିବାବେଳେ ୫ ଲକ୍ଷରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ଆମେରିକା ପଛକୁ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ବ୍ରାଜିଲରେ ୧୩ ଲକ୍ଷ ୧୫ ହଜାରରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହୋଇଥିବାବେଳେ ଏଥିରେ ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୭ ହଜାର ଟପିଯାଇଛି। ବ୍ରାଜିଲ ପଛକୁ ରୁଷିଆ ତୃତୀୟ ସ୍ଥାନରେ ରହିଛି। ଏହି ଦେଶରେ ୬ ଲକ୍ଷ ୩୪ ହଜାରରୁ ଅଧିକ ଲୋକ କରୋନାରେ ପୀଡ଼ିତ ହୋଇଥିବାବେଳେ ୯ ହଜାରରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି। ବିଶ୍ବର ଦ୍ବିତୀୟ ଜନବହୁଳ ଦେଶ ଭାରତ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ଚତୁର୍ଥ ସ୍ଥାନରେ ରହିଛି। ଭାରତ ପଛକୁ ବ୍ରିଟେନ ପଞ୍ଚମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର