କଂଗ୍ରେସରେ ଯୁବକଙ୍କୁ ୫୦% ସଂରକ୍ଷଣ, ଆରମ୍ଭ ହେବ ‘ଭାରତ ଯୋଡ଼ୋ ଯାତ୍ରା’

ଉଦୟପୁର : ଆସନ୍ତା ୨୦୨୪ରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ଲାଗି କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି। ଗତ ନିର୍ବାଚନଗୁଡ଼ିକରେ କ୍ରମାଗତ ପରାଜୟ ବରଣ କରୁଥିବା କଂଗ୍ରେସ ପକ୍ଷରୁ ରାଜସ୍ଥାନର ଉଦୟପୁରରେ ଅନୁଷ୍ଠିତ ତିନି ଦିନିଆ ଚିନ୍ତନ ଶିବିରରେ ଏସଂପର୍କରେ ବ୍ୟାପକ ବିଚାର ଆଲୋଚନା କରାଯାଇଛି। ପରାଜୟର ଯେପରି ପୁନରାବୃତ୍ତି ନହୁଏ, ସେଥିଲାଗି ସାଂଗଠନିକ ସ୍ତରରେ ପୁନର୍ବିନ୍ୟାସ ଲାଗି ସ୍ଥିର କରାଯାଇଛି।

ଦଳରେ ଏକ ବ୍ୟକ୍ତି, ଏକ ପଦବି ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏହାସହିତ ଗୋଟିଏ ପରିବାରରୁ ଜଣେ ବ୍ୟକ୍ତିକୁ ନିର୍ବାଚନ ଟିକଟ ଦିଆଯିବ। ପରିବାରରୁ ଅନ୍ୟ ବ୍ୟକ୍ତି ଟିକଟ ପାଇଁ ଆଗ୍ରହ ପ୍ରକାଶ କଲେ ତାଙ୍କ ପାଇଁ ସର୍ତ୍ତ ରଖାଯାଇଛି। ସର୍ତ୍ତଟି ହେଉଛି ବ୍ୟକ୍ତି ଜଣକ ସାଂଗଠନିକ କାର୍ଯ୍ୟରେ ୫ ବର୍ଷ ଧରି ସକ୍ରିୟ ରହିବା ଜରୁରି। ଜଣେ ବ୍ୟକ୍ତି ଗୋଟିଏ ପଦରେ ୫ ବର୍ଷ ପାଇଁ ହିଁ ରହିପାରିବ। ତିନି ବର୍ଷ ପରେ ପୁଣି ସେହି ପଦରେ ସେ ନିଯୁକ୍ତ/ନିର୍ବାଚିତ ହୋଇପାରିବ। ନୂଆ ନେତାଙ୍କୁ ସୁଯୋଗ ଦେବାଲାଗି ଏଭଳି ନିଷ୍ପତ୍ତି ହୋଇଛି।

ଚିନ୍ତନ ଶିବିରରେ ନିଆଯାଇଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ଯେ ୫୦ ବର୍ଷରୁ କମ୍ ବୟସର ଯୁବକମାନଙ୍କ ପାଇଁ ସଂଗଠନର ସବୁ ସ୍ତରରେ ୫୦ ଭାଗ ପଦ ସଂରକ୍ଷିତ ରଖାଯିବ। ସେହିଭଳି ତଫସିଲଭୁକ୍ତ ଜାତି, ଉପଜାତି, ପଛୁଆ ବର୍ଗ ଏବଂ ସଂଖ୍ୟାଲଘୁଙ୍କ ଲାଗି ମଧ୍ୟ ୫୦ ଭାଗ ସଂରକ୍ଷିତ ରହିବ। ରାଜନୈତିକ ବ୍ୟାପାର ଉପରେ ବିଚାରବିମର୍ଶ ଲାଗି ଏକ ଉପଦେଷ୍ଟା କମିଟି ଗଠିତ ହେବ। କଂଗ୍ରେସ କାର୍ଯ୍ୟକାରିଣୀର କିଛି ସଭ୍ୟଙ୍କୁ ଏହି କମିଟିରେ ରଖାଯିବ। ରାହୁଲ ଗାନ୍ଧି ଆସନ୍ତା ଏକବର୍ଷ ଭିତରେ କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ପଦଯାତ୍ରା କରିବେ। ଏହାର ନାମ ‘ଭାରତ ଯୋଡ଼ୋ ଯାତ୍ରା’ ରଖାଯାଇଛି। ପ୍ରତି ରାଜ୍ୟର କଂଗ୍ରେସ ନେତାମାନେ ନିଜ ନିଜ ରାଜ୍ୟରେ ଏହି ପଦଯାତ୍ରାରେ ଯୋଗ ଦେବେ। ଦରବୃଦ୍ଧି ଓ ବେକାରୀ ସମସ୍ୟା ଯୋଗୁ ଦେଶର ଗରିବ ଜନସାଧାରଣ ଭୋଗୁଥିବା ସମସ୍ୟା ଉପରେ ମଧ୍ୟ ଏହି ଯାତ୍ରା ଅବସରରେ ସଚେତନତା ସୃଷ୍ଟି କରାଯିବ ଏବଂ ବିଜେପି ସରକାର ବିରୋଧରେ ଜନମତ ତିଆରି କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି। ଆସନ୍ତା ଅକ୍ଟୋବର ମାସରେ ଏହି ଯାତ୍ରା ଆରମ୍ଭ ହେବ।

ତେବେ ବିଦ୍ରୋହୀଙ୍କ ଦାବି ମୁତାବକ କଂଗ୍ରେସ ଇଲେକ୍ସନ କମିଟି ବଦଳରେ ଏକ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ କରାଯାଇଛି। ବର୍ତ୍ତମାନ ଲୋକସଭା ଓ ବିଧାନସଭା ନିର୍ବାଚନରେ କିଏ ପ୍ରାର୍ଥୀ ହେବ ତାହା କଂଗ୍ରେସ ଇଲେକ୍ସନ କମିଟି ସ୍ଥିର କରୁଛି। ଏହା ସ୍ଥାନରେ ସଂସଦୀୟ ବୋର୍ଡ ଗଠନ ପ୍ରସ୍ତାବକୁ ଗାନ୍ଧି ପରିବାର ଅନୁଗତମାନେ ବିରୋଧ କରିଥିଲେ। ଏହାକୁ ନେଇ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ଦଳ କ୍ଷମତାକୁ ଆସିଲେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)କୁ ହଟାଇ ପୁନଃ ବାଲଟ ପେପରର ବ୍ୟବସ୍ଥା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।

ରବିବାର ଦିନ ଶିବିର ଶେଷ ଦିବସରେ ଏକ ସ୍ବତନ୍ତ୍ର ବୈଠକରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ, ଗୁଲାମ ନବୀ ଆଜାଦ, ପି ଚିଦମ୍ବରମ୍, ପ୍ରିୟଙ୍କା ଗାନ୍ଧି ଭଦ୍ରା, ଅମ୍ବିକା ସୋନି ପ୍ରମୁଖ ଯୋଗ ଦେଇ ଦଳରେ ସାଂଗଠନିକ ସଂସ୍କାର ଆଣିବା ଉପରେ ବିଚାରବିମର୍ଶ କରିଥିଲେ।

ସମ୍ବନ୍ଧିତ ଖବର