ରାଜ୍ୟପାଳମାନଙ୍କ ୫୦ତମ ବାର୍ଷିକ ସମ୍ମିଳନୀ : ସଂଘୀୟ ବ୍ୟବସ୍ଥା ସୁଦୃଢ଼ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ – ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ରାଜ୍ୟପାଳମାନଙ୍କ ୫୦ତମ ବାର୍ଷିକ ସମ୍ମିଳନୀ ରାଷ୍ଟ୍ରପତି ଭବନରେ ଉଦ୍‌ଘାଟିତ ହୋଇଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଉପ ରାଜ୍ୟପାଳମାନେ ଅଂଶଗ୍ରହଣ କରିଛନ୍ତି । ଏମାନଙ୍କ ମଧ୍ୟରେ ପ୍ରଥମ ଥର ପାଇଁ କାର୍ଯ୍ୟଭାର ସମ୍ଭାଳିଥିବା ୧୭ ଜଣ ରାଜ୍ୟପାଳ ଓ ଉପରାଜ୍ୟପାଳ ସାମିଲ ଅଛନ୍ତି। ଏଥିସହିତ ସମ୍ମିଳନୀରେ ନବଗଠିତ କେନ୍ଦ୍ର ଶାସିତ ପ୍ରଦେଶ ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ଉପରାଜ୍ୟପାଳ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଜଳ ଶକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଉଦବୋଧନ ଦେଇ ୧୯୪୯ଠାରୁ ଆରମ୍ଭ ହୋଇଥିବା ଏହି ସମ୍ମିଳନୀର ଦୀର୍ଘ ଇତିହାସ ଉପରେ ଆଲୋକପାତ କରିଥିଲେ। ସଂଘୀୟ ବ୍ୟବସ୍ଥାକୁ ସୁଦୃଢ କରିବାରେ ରାଜ୍ୟପାଳଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୨୨ରେ ଦେଶ ନିଜ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ପାଳନ କରିବ ଏବଂ ୨୦୪୭ରେ ୧୦୦ ବର୍ଷ ପୂର୍ତି ପାଳନ କରିବ। ଏପରି ସ୍ଥଳେ ପ୍ରଶାସନିକ କଳକୁ ଦେଶବାସୀଙ୍କ ନିକଟତର କରିବା ଏବଂ ସେମାନଙ୍କୁ ସଠିକ ମାର୍ଗ ଦେଖାଇବାରେ ରାଜ୍ୟପାଳମାନଙ୍କ ଭୂମିକା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ। ରାଜ୍ୟପାଳ ଓ ଉପରାଜ୍ୟପାଳମାନେ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ସମୟରେ ସାଧାରଣ ଜନତାଙ୍କ ଆବଶ୍ୟକତା ପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, ଚଳିତ ବର୍ଷର ସମ୍ମିଳନୀରେ ଆଦିବାସୀ ପ୍ରସଙ୍ଗ, କୃଷି କ୍ଷେତ୍ରରେ ସୁଧାର, ଜଳଜୀବନ ମିସନ, ନୂତନ ଶିକ୍ଷା ନୀତି ଏବଂ ଜୀବନଧାରଣ ସୁଗମତା ପାଇଁ ପ୍ରଶାସନ ଭଳି ପ୍ରସଙ୍ଗ ଏବଂ ସମସ୍ୟା ଆଦି ପାଂଚଟି ଉପ ସମୂହରେ ବ୍ୟାପକ ଆଲୋଚନା ହେବ।

ସମ୍ବନ୍ଧିତ ଖବର