ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ୫୧ଟି ଗବେଷଣା ପ୍ରବନ୍ଧକୁ ଆଜି ଉନ୍ନୋଚନ କରାଯାଇଛି। ଫାଉଣ୍ଡେସନ ଏବଂ ପତଞ୍ଜଳି ବିଶ୍ବବିଦ୍ୟାଳୟ, ହରିଦ୍ବାର ଆନୁକୁଲ୍ୟରେ ଆୟୋଜିତ ‘ପାରମ୍ପାରିକ ଭାରତୀୟ ଚିକିତ୍ସାର ଆଧୁନିକୀକରଣ: ଲୋକ ସ୍ବାସ୍ଥ୍ୟ ଏବଂ ଔଦ୍ୟୋଗିକ ପରିପ୍ରେକ୍ଷୀ’ ଶୀର୍ଷକ ୩ ଦିନିଆ ଅର୍ନ୍ତଜାତିୟ ସମ୍ମିଳନୀ ଅବସରରେ ପତଞ୍ଜଳି ବିଶ୍ବବିଦ୍ୟାଳୟର କୁଳପତି ବାବା ରାମଦେବ ଓ ପତଞ୍ଜଳି ଅନୁସନ୍ଧାନ ପ୍ରତିଷ୍ଠାନର ସଭାପତି ଆଚାର୍ଯ୍ୟ ବାଲକ୍ରିଷ୍ଣ ଏହି ପ୍ରବନ୍ଧଗୁଡ଼ିକୁ ଉନ୍ମୋଚନ କରିଛନ୍ତି। ଆୟୁର୍ବେଦ ଗବେଷଣା କ୍ଷେତ୍ରରେ ଅନୁଷ୍ଠାନ ପକ୍ଷରୁ ଏହାର ସର୍ବୋତ୍ତମ ଯୋଗଦାନ ରହିଛି। ବୈଦିକ ଜ୍ଞାନ ଓ ଆଧୁନିକ ଅନୁସନ୍ଧାନର ମିଶ୍ରଣରୁ ସମୃଦ୍ଧିର ରାସ୍ତା ଖୋଲିବ ବୋଲି ବାବା ରାମଦବେ କହିଛନ୍ତି।
ଏହି ଅବସରରେ ଆଚାର୍ଯ୍ୟ ବାଲକ୍ରିଷ୍ଣ କହିଲେ, ଆୟୁର୍ବେଦ ସମ୍ବଦ୍ଧିତ ଏକାଧିକ ଗବେଷଣା ଏବେବି ଜାରି ରହିଛି ଏବଂ ପତଞ୍ଜଳିର ଗବେଷଣା ବିଶ୍ବରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି। ଆୟୁର୍ବେଦିକ ଔଷଧଗୁଡିକ ବିଶ୍ବରେ ଗ୍ରହଣୀୟ ହୋଇଛି। ବିଭିନ୍ନ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ରେ ପତଞ୍ଜଳି ଗବେଷଣାଗୁଡିକ ପ୍ରକାଶିତ ହୋଇଛି। ସମ୍ମିଳନୀର ତୃତୀୟ ଦିନ କାର୍ଯ୍ୟକ୍ରମରେ ଦେଶବିଦେଶରୁ ବହୁ ସଂଖ୍ୟକ ବିଦ୍ୟାର୍ଥୀ ଓ ଗବେଷକ ଭାଗ ନେଇଥିଲେ। ‘ଚ୍ୟାଲେଞ୍ଜେସ୍ ଇନ ହେଲ୍ଥକେୟାର: ଇନ୍ଟିଗ୍ରେଟିଭ ଆପ୍ରୋଚ୍ ଅନ୍ ମଡର୍ଣ୍ଣ ମେଡିସେନ୍ ଆଣ୍ଡ୍ ଆୟୁର୍ବେଦ’ ଶୀର୍ଷକ ବିଷୟ ଉପରେ ଦିନ ତମାମ ଦେଶର ଖ୍ୟାତନାମା ଚିକତ୍ସକ,ବିଶେଷଜ୍ଞ ଓ ଗବେଷକମାନେ ସ୍ବତନ୍ତ୍ର ଉପସ୍ଥାପନ କରିଥିଲେ। ୧୫ରୁ ଅଧିକ ବକ୍ତା ଆୟୁର୍ବେଦ ଚିକିତ୍ସାର ପ୍ରାସଙ୍ଗିକତା ଏବଂ ଅନ୍ୟାନ୍ୟ ଚିକିତ୍ସା ସହିତ ତୁଳନାତ୍ମକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ସାକ୍ଷ୍ୟ ଅଧାରିତ ଗବେଷଣା ଉପରେ ଅଧିକ ଗୁରତ୍ବ ଦେବା ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଆସନ୍ତାକାଲି ପତଞ୍ଜଳି ଯୋଗପୀଠରେ ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ୫୯ତମ ଜନ୍ମ ଦିବସକୁ ଜଡ଼ି-ବୁଟି ଦିବସ ଭାବେ ପାଳନ କରାଯିବ ଏବଂ ୫୧ ଭଲ୍ୟୁମ୍ର ହର୍ବାଲ୍ ଏନ୍ସ୍ଲାଇକୋପିଡିଆର ଉନ୍ନୋଚନ କରାଯିବ। ଏଥିରେ ଉତ୍ତରଖଣ୍ଡର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।