ନୂଆଦିଲ୍ଲୀ: ଦିନକୁ ଦିନ ଖରା ତାଣ୍ଡବ ରଚୁଛି ଧରାରେ। ତାତି ଏତେ ଅଧିକ ହେଉଛି ଯେ ଜନଜୀବନ ହସ୍ତସନ୍ତ ହୋଇ ପଡୁଛନ୍ତି। ଏହା ମଧ୍ୟରେ ଗତକାଲି ରାଜଧାନୀ ଦିଲ୍ଲୀର ତାପମାତ୍ରା ସଭିଙ୍କ ଚେତା ବୁଡାଇଛି। ଗତକାଲି ଦିଲୀର ତାପମାତ୍ରା ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚିବା ପରେ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ।
କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ ବୁଧବାର ଦିନ କହିଛନ୍ତି ଯେ ଦିଲ୍ଲୀର ତାପମାତ୍ରା ଆଶ୍ଚର୍ଯ୍ୟଜନକ ସ୍ତରରେ ପହଞ୍ଚିବା ଅତ୍ୟନ୍ତ ଅସମ୍ଭବ। ଯାହାକି ସହରର ଗୋଟିଏ ପାଣିପାଗ କେନ୍ଦ୍ର ରିପୋର୍ଟ କରିଛି।
ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ପୋଷ୍ଟରେ ଭୂ ବିଜ୍ଞାନ ମନ୍ତ୍ରୀ କହିଛନ୍ତି ଯେ ମୁଙ୍ଗେଶପୁର ପାଣିପାଗ କେନ୍ଦ୍ରର ତଥ୍ୟ ଯାଞ୍ଚ କରିବା ପାଇଁ ଭାରତ ପାଣିପାଗ ବିଭାଗ (ଆଇଏମଡି) ର ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।
"ଏହା ଏକ ଆନୁଷ୍ଠାନିକ ଘୋଷଣା ନୁହେଁ। ଦିଲ୍ଲୀର ତାପମାତ୍ରା ୫୨.୩ ଡିଗ୍ରି ହେବା ସମ୍ଭବ ନୁହେଁ। ଆଇଏମ୍ଡିର ଆମର ବରିଷ୍ଠ ଅଧିକାରୀଙ୍କୁ ଖବର ରିପୋର୍ଟ ଯାଞ୍ଚ କରିବାକୁ କୁହାଯାଇଛି। ଆନୁଷ୍ଠାନିକ ତଥ୍ୟ ଖୁବ ଶୀଘ୍ର ପ୍ରକାଶ ପାଇବ’’ ବୋଲି ରିଜିଜୁ ତାଙ୍କ ପୋଷ୍ଟରେ କହିଛନ୍ତି।
ବୁଧବାର ଅପରାହ୍ନରେ ମୁଙ୍ଗେଶପୁର ପାଣିପାଗ କେନ୍ଦ୍ର ଦିଲ୍ଳୀରେ ସର୍ବାଧିକ ୫୨.୩ ଡିଗ୍ରୀ ସେଲସିୟସ ଦର୍ଶାଇ ଭାରତର ସର୍ବାଧିକ ତାପମାତ୍ରା ରେକର୍ଡ କରିଛି। ପରେ, ଏକ ଅପଡେଟ୍ ହୋଇଥିବା ଆଇଏମ୍ଡି ବୁଲେଟିନ୍ ରେ, ମୁଙ୍ଗେଶପୁର ୫୨.୯ ଡିଗ୍ରୀ ସେଲସିୟସ୍ ରେକର୍ଡ କରିଥିଲା।
ଏକ ବିବୃତିରେ ଆଇଏମଡି ଅଧିକାରୀ କହିଛନ୍ତି ଯେ ରେକର୍ଡ ହୋଇଥିବା ତାପମାତ୍ରା “ସେନସର ତ୍ରୁଟି କିମ୍ବା ସ୍ଥାନୀୟ କାରଣ” ହେତୁ ହୋଇପାରେ।