ଚୀନ୍‌ର ୫୨ଟି ମୋବାଇଲ୍ ଆପ୍‌ ନିଷିଦ୍ଧ ହେବ!

ନୂଆଦିଲ୍ଲୀ : ଲଦାଖ ସୀମାରେ ଚୀନ୍‌ ସେନାର ଯୁଦ୍ଧଖୋର ମନୋବୃତ୍ତି ଯୋଗୁଁ ଦୁଇ ଦେଶ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ତେବେ ଏହି ପରିପ୍ରେକ୍ଷୀରେ ଚୀନ୍ ତିଆରି ୫୨ଟି ମୋବାଇଲ୍ ଫୋନ୍ ଆପ୍ଲିକେସନ୍‌କୁ ଭାରତୀୟ ଗୁଇନ୍ଦା ବିଭାଗ ସନ୍ଦେହଜନକ ବୋଲି ଦର୍ଶାଇଛି। ସେହି ସବୁ ଆପ୍ଲିକେସନ୍‌କୁ ସରକାର ନିଷିଦ୍ଧ କରିବା ସହ ଜନସାଧାରଣ ଏହାର ବ୍ୟବହାର ବନ୍ଦ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହେଉ ବୋଲି ଗୁଇନ୍ଦା ବିଭାଗ ପ୍ରସ୍ତାବ ରଖିଛି। ସଂପୃକ୍ତ ମୋବାଇଲ୍ ଆପ୍ଲିକେସନ୍‌ଗୁଡ଼ିକ ଆଦୌ ନିରାପଦ ନୁହେଁ ଏବଂ ତାହା ଦ୍ବାରା ଭାରତୀୟମାନଙ୍କର ଗୋପନ ତଥ୍ୟ ଚୋରି ହୋଇଯାଉଛି ବୋଲି ଗୁଇନ୍ଦା ବିଭାଗ ସନ୍ଦେହ ପ୍ରକଟ କରିଛି। ଗୁଇନ୍ଦା ବିଭାଗର ତୀକ୍ଷ୍ଣ ନଜରରେ ରହିଥିବା ଲୋକପ୍ରିୟ ଚୀନୀ ଆପ୍ଲିକେସନ୍‌ମାନଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଆପ୍ ଜୁମ୍, କ୍ଷୁଦ୍ର ଭିଡିଓ ଆପ୍ ଟିକ୍‌ଟକ୍, ୟୁସି ବ୍ରାଉଜର, ଜେଣ୍ଡର, ସେୟାରଇଟ୍ ଓ କ୍ଲିନ୍‌ମାଷ୍ଟର ଆଦି ରହିଛି।

ଗୁଇନ୍ଦା ବିଭାଗର ଏପରି ଅନୁଧ୍ୟାନକୁ ଜାତୀୟ ନିରାପତ୍ତା ପରିଷଦ(ଏନ୍‌ଏସ୍‌ସି) ସଚିବାଳୟ ମଧ୍ୟ ସମର୍ଥନ କରିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ସେସବୁ ମୋବାଇଲ୍ ଆପ୍ଲିକେସନ୍ ଜାତୀୟ ନିରାପତ୍ତା ପ୍ରତି ବିପଜ୍ଜନକ ବୋଲି ଏନ୍‌ଏସ୍‌ସି ଅନୁଭବ କରିଥିବା କୁହାଯାଇଛି। ସେସବୁକୁ ନିଷିଦ୍ଧ କରିବା ସମ୍ପର୍କରେ ବିଚାର ବିମର୍ଶ ଜାରି ରହିଛି ଏବଂ ପ୍ରତି ଆପ୍ଲିକେସନ୍‌ ସହ ଜଡ଼ିତ ବିପଦର ପରିସରକୁ ମଧ୍ୟ ତର୍ଜମା କରାଯାଉଥିବା ଜଣାଯାଇଛି। ସେହିପରି ନିଷିଦ୍ଧ ହେବାକୁ ଥିବା ଅନ୍ୟ ଚୀନୀ ମୋବାଇଲ୍ ଆପ୍ଲିକେସନ୍‌ଗୁଡ଼ିକ ମଧ୍ୟରେ ଭଲ୍ଟ ହାଇଡ୍‌, ଭିଗୋ ଭିଡିଓ, ବିଗୋ ଲାଇଭ୍, ଵିବୋ, ଵିଚାଟ୍, ୟୁସି ନ୍ୟୁଜ୍, ବିଉଟିପ୍ଲସ୍, କ୍ଲବ୍‌ଫାକ୍ଟ୍ରି, ହେଲୋ, କ୍ବାଇ, ରୋମ୍‌ଵି, ସେଇନ୍‌, ନ୍ୟୁଜ୍‌ଡଗ୍, ଫଟୋଵାଣ୍ଡର, ଆପସ୍ ବ୍ରାଉଜର, ଭିଭା ଭିଡିଓ, ଭାଇରସ୍ କ୍ଲିନର, ମାଇ କମ୍ୟୁନିଟି, ଡିୟୁ ରେକର୍ଡର, ୟୁକାମ୍‌, ମାଇ ଷ୍ଟୋର, ଡିୟୁ ବ୍ରାଉଜର, କ୍ୟାଚ୍‌କ୍ଲିଅର, କ୍ୟୁକ୍ୟୁ ଲଞ୍ଚର, କ୍ୟୁକ୍ୟୁ ମ୍ୟୁଜିକ୍, କ୍ୟୁକ୍ୟୁ ପ୍ଲେୟାର, ବାଇଦୁ ମ୍ୟାପ୍, ବାଇଦୁ ଟ୍ରାନ୍ସଲେଟ୍, ଵାଣ୍ଡର କ୍ୟାମେରା, ଇଏସ୍‌ ଫାଇଲ୍‌ ଏକ୍ସପ୍ଲୋରର, ମେଲ୍‌ ମାଷ୍ଟର, ମାଇ ଭିଡିଓ କଲ୍‌-ସାଓମି ଏବଂ ପାରାଲେଲ୍‌ ସ୍ପେସ୍‌ ଆଦି ରହିଛି। ସୂଚନା ଥାଉ କି, ଚୀନ୍ ପ୍ରସ୍ତୁତ ଏପରି ଅନେକ ମୋବାଇଲ୍ ଆପ୍ଲିକେସନ୍‌ ଉପରେ ପାଶ୍ଚାତ୍ୟ ରାଷ୍ଟ୍ରର ଗୁଇନ୍ଦା ସଂସ୍ଥାମାନେ ମଧ୍ୟ ନଜର ରଖିଛନ୍ତି। କୌଣସି ବିବାଦୀୟ ସ୍ଥିତିରେ ଚୀନ୍‌ ନିଜର ଏହି ଆପ୍ଲିକେସନ୍‌ ମାଧ୍ୟମରେ ଯୋଗାଯୋଗ ସେବାରେ ବିଭ୍ରାଟ ଆଣିବ ବୋଲି ଅନ୍ୟମାନେ ଆଶଙ୍କା ପ୍ରକଟ କରିଛନ୍ତି। ସୁତରାଂ ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରତ୍ୟେକ ଭାରତୀୟଙ୍କୁ ଏଭଳି ଆପ୍ଲିକେସନ୍‌ ପ୍ରତି ସତର୍କ ରହିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର