ଇସ୍ଲାମାବାଦ: ପାକିସ୍ତାନର ବଲୁଚିସ୍ତାନରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ଫୋରଣ ଯୋଗୁଁ ହୋଇଥିବା ମୃତ୍ୟୁସଂଖ୍ୟା ବଢିଚାଲିଛି । ପ୍ରଥମେ ମୃତ୍ୟୁ ସଂଖ୍ୟା ୩୪ ଥିବାବେଳେ ଏବେ ତାହା ୫୨କୁ ବୃଦ୍ଧି ପାଇଛି । ଆହୁରି ୫୦ରୁ ଅଧିକ ଲୋକ ଆହତ ଅଛନ୍ତି ବୋଲି ପାକିସ୍ତାନୀ ଖବରକାଗଜ ଡନ୍ କହିଛି ।

Advertisment

ଜିଓ ନ୍ୟୁଜ୍ ର ରିପୋର୍ଟ ଅନୁଯାୟୀ, ମୁସ୍ତାଙ୍ଗ ଜିଲ୍ଲାରେ ଏହି ବିସ୍ଫୋରଣ ଘଟିଛି। ଏକ ଧାର୍ମିକ ଶୋଭାଯାତ୍ରା ପାଇଁ ଲୋକମାନେ ଏକାଠି ହୋଇଥିବା ବେଳେ ମସଜିଦ୍ ନିକଟରେ ଏହି ବିସ୍ଫୋରଣ ଘଟିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି।

ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ କହିଛି ଯେ ଏହି ବିସ୍ଫୋରଣ ଆତଙ୍କବାଦୀମାନଙ୍କ ଦ୍ୱାରା କରାଯାଇଛି। ଇଦ୍ ମିଲାଦ-ଉଲ୍-ନବୀ ଶୋଭାଯାତ୍ରାରେ ଭାଗ ନେବାକୁ ଆସିଥିବା ନିରୀହ ଲୋକଙ୍କ ଉପରେ ଆକ୍ରମଣ ଅତ୍ୟନ୍ତ ଜଘନ୍ୟ କାର୍ଯ୍ୟ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆତଙ୍କବାଦୀଙ୍କ କୌଣସି ଧର୍ମ ନଥାଏ ।

ବଲୁଚିସ୍ତାନର ସୂଚନା ମନ୍ତ୍ରୀ ଜାନ ଅଚକଜାୟୀ କହିଛନ୍ତି ଯେ, ବଲୁଚିସ୍ତାନରେ ଥିବା ବିଦେଶୀ ରାଷ୍ଟ୍ର ସମର୍ଥିତ ତତ୍ତ୍ବମାନେ ଶାନ୍ତି ଓ ସଦ୍ଭାବ ନଷ୍ଟ କରିବାକୁ ଚାହୁଁଛନ୍ତି ।

ସୂଚନାଯୋଗ୍ୟ ଯେ ବଲୁଚିସ୍ତାନକୁ ପାକିସ୍ତାନରୁ ମୁକ୍ତ କରିବାକୁ ବଲୁଚିସ୍ତାନ ମୁକ୍ତି ବାହିନୀ ପାକିସ୍ତାନ ସେନା ବିରୋଧରେ ଗରିଲା ଯୁଦ୍ଧ ଚଳାଇଛି । ଏହି ମୁକ୍ତି ବାହିନୀକୁ ଭାରତ ସହାୟତା କରୁଥିବା ପାକିସ୍ତାନ ଅଭିଯୋଗ କରୁଛି । ତେବେ ଏହାକୁ ଭାରତ ବାରମ୍ବାର ଖଣ୍ଡନ କରିଛି ।