ବାଂଲାଦେଶ ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୫୨ ମୃତ

ରୁପଗଞ୍ଜ : ବାଂଲାଦେଶର ରାଜଧାନୀ ଢାକା ସ୍ଥିତ ଏକ ଫଳରସ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୫୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଢାକା ନିକଟସ୍ଥ ନାରାୟଣଗଂଜର ରୁପଗଂଜରେ ଏକ ଶେଜାନ୍‌ ଜୁସ୍‌ ଫ୍ୟାକ୍ଟ୍ରିରେ ଗତକାଲି ସନ୍ଧ୍ୟ‌ାରେ ଅଗ୍ନିକାଣ୍ଡ ହୋଇଛି। ୬ ମହଲା ବିଶିଷ୍ଟ ଏହି ଜୁସ୍‌ ଫ୍ୟାକ୍ଟ୍ରିର ପ୍ରଥମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା। ତେବେ ଫ୍ୟାକ୍ଟ୍ରିରେ ରସାୟନ ଏବଂ ପ୍ଲାଷ୍ଟିକ ବଟଲ୍‌ ଥିବାରୁ ଏହା ଖୁବ୍‌ଶୀଘ୍ର ଅନ୍ୟ ମହଲାକୁ ବ୍ୟାପିଯାଇଥିଲା। ଫଳରେ ୫୨ ଜଣଙ୍କ ମୃତ୍ୟୁ ହୋଇଯାଇଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ପ୍ରାଣ ବିକଳରେ ଅନେକ ଲୋକ ତଳକୁ ଡେଇଁ ପଡ଼ି ପ୍ରାଣ ହରାଇଛନ୍ତି। ଅନେକ ଲୋକ ନିଆଁରେ ଫସି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଆଉ କେତେକ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି।

ଜଳିଯାଉଥିବା ଫ୍ୟାକ୍ଟ୍ରି ବାହାରେ ଶତାଧିକ ଲୋକ ନିଜ ସମ୍ପର୍କୀୟମାନଙ୍କୁ ଜଗି ରହିଥିବା ଦୃଶ୍ୟ ଛାତି ଥରାଇ ଦେଇଛି। ପ୍ରାୟ ୪୪ ଜଣ କର୍ମଚାରୀ ନିଖୋଜ ଥିବା ସ୍ପଷ୍ଟ ହୋଇଛି। ୨୦୧୩ରେ ବାଂଲାଦେଶ ରାଣା ପ୍ଲାଜା ବିପର୍ଯ୍ୟୟ ପରେ ଅଗ୍ନି ସୁରକ୍ଷା କଡ଼ାକଡ଼ି ହୋଇଥିଲା। କିନ୍ତୁ ଆଜିର ଅଗ୍ନିକାଣ୍ଡ ଘଟଣାରୁ ଜଣାପଡ଼ୁଛି ଯେ, ଅନେକ କ୍ଷେତ୍ରରେ ତ୍ରୁଟି ରହିଯାଇଛି। ୨୦୧୩ ମସିହାର ରାଣା ପ୍ଲାଜା ଦୁର୍ଘଟଣାରେ ୧୧୦୦ରୁ ଅଧିକ ମରିଯାଇଥିଲେ ଏବଂ କୋଠାଟି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଥିଲା। ସେହିପରି ୨୦୧୯ ଫେବ୍ରୁଆରିରେ ଢାକାର ଆପାର୍ଟମେଣ୍ଟ୍‌ରେ ଅଗ୍ନିକାଣ୍ଡ ହୋଇ ୭୦ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ, ଫ୍ୟାକ୍ଟ୍ରିର ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ୨ଟି ଯାକ ବନ୍ଦ ଥିଲା। ଫ୍ୟାକ୍ଟ୍ରିରେ ଉପଯୁକ୍ତ ଅଗ୍ନି ସୁରକ୍ଷା ନିୟମ ପାଳନ ହୋଇନଥିବା ସେମ‌ାନେ ଦାବି କରିଛନ୍ତି। ଘଟଣାର ତଦନ୍ତ ପାଇଁ ୫ ଜଣିଆ କମିଟି ଗଠନ ହୋଇଛି।

ସମ୍ବନ୍ଧିତ ଖବର