ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ମଧ୍ୟରେ ଏଯାବତ ଅନେକ ବଡ଼ ବଡ଼ ରାଜ୍ୟ ଗୁଡ଼ିକରେ ଆସନ ବୁଝାମଣା ଆରମ୍ଭ ହୋଇନାହିଁ। ବିଭିନ୍ନ ରାଜ୍ୟରେ ଆସନ ବୁଝାମଣା ନେଇ ଖୁବ୍‌ଶୀଘ୍ର ପ୍ରସ୍ତୁତି ଆରମ୍ଭ ହେବା ସଂକ୍ରାନ୍ତରେ ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ ଏକ ପ୍ରସ୍ତାବ ଗୃହୀତ ହୋଇଥିଲେ ସୁଦ୍ଧା ଏହାର ୫୩ ଦିନ ପରେ ବି କିଛି ନିଷ୍ପତ୍ତି ହୋଇପାରିନି। ଗତ ସେପ୍ଟେମ୍ବରରେ ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ହୋଇଥିଲା। ତେବେ ଆସନ ବୁଝାମଣାରେ ବିଳମ୍ବ ପାଇଁ ୨ଟି ବିରୋଧୀ ଦଳ କଂଗ୍ରେସକୁ ଦାୟୀ କରିଛନ୍ତି।

Advertisment

ଆସନ ବୁଝାମଣା ଏଯାବତ ଆରମ୍ଭ ହୋଇନାହିଁ ବୋଲି ଜଣେ ବରିଷ୍ଠ କଂଗ୍ରେସ ନେତା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁମ୍ବାଇ ପ୍ରସ୍ତାବରେ ଏହା କୁହାଯାଇଥିଲା ଯେ ଆସନ ବୁଝାମଣା ନେଇ କଥାବାର୍ତ୍ତା ଖୁବ୍‌ଶୀଘ୍ର ଆରମ୍ଭ ହେବ। କିନ୍ତୁ ଏଥିପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇନଥିଲା। ତେଣୁ ବିଧାନସଭା ନିର୍ବାଚନ ପରେ ଆସନ ବୁଝାମଣା ନେଇ ଆଲୋଚନା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆସନ୍ତା ମାସରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ଅଛି। ଅନ୍ୟପକ୍ଷେ ଗତ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ ତାରଖେରେ ମୁମ୍ବାଇ ବୈଠକ ହୋଇଥିଲା।