ମୁମ୍ବାଇରେ ୫୩ ଜଣ ସାମ୍ବାଦିକ କୋଭିଡ-୧୯ ପଜିଟିଭ୍‌

ମୁମ୍ବାଇ: ମୁମ୍ବାଇରେ ସୋମବାର ୫୩ ଜଣ ସାମ୍ବାଦିକଙ୍କ ନମୁନା ପରୀକ୍ଷା ରିପୋର୍ଟରୁ ସେମାନେ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି।  ଶିବସେନା ନେତା ତଥା ବ୍ରିହନ୍‌ମୁମ୍ବାଇ ମୁନିସିପାଲ୍‌ କର୍ପୋରେସନ୍‌ର ହେଲ୍‌ଥ କମିଟି ସଦସ୍ୟ ଅମେୟ ଘୋଲେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ ‘ମୁମ୍ବାଇର ୧୬୭ ଜଣ ସାମ୍ବାଦିକଙ୍କ ନିକଟରୁ ରକ୍ତ ନମୂନା ଗ୍ରହଣ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୩ ଜଣ କୋଭିଡ୍‌-୧୯ ପଜିଟିଭ୍‌ ଥିବା ଜଣାପଡ଼ିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।’

ଏହି ୫୩ ଜଣ ସାମ୍ବାଦିକଙ୍କ ମଧ୍ୟରେ ରିପୋର୍ଟରୁ ନେଇ, କ୍ୟାମେରାମ୍ୟାନ୍‌ ଏବଂ ଫଟୋ ସମ୍ବାଦିକ ଆଦି ରହିଥିବା ଜାଣିବାକୁ ମିଳିଛି। କୋଭିଡ୍‌-୧୯ ହେତୁ ପୂରା ‌ଦେଶରେ ଲକ୍‌ଡାଉନ୍‌ ଘୋଷଣା ହୋଇଥିବା ବେଳେ ଖବର ସଂଗ୍ରହ ପାଇଁ ବାହାରକୁ ଯାଇଥିବା ସାମ୍ବାଦିକମାନଙ୍କୁ ଏହି ମହାମାରୀ ଭାଇରସ୍‌ କବଳିତ କରିଛି।

ଉଲ୍ଲେଖଯୋଗ୍ୟ, ଆମ ଦେଶରେ ଏବେ ସୁଦ୍ଧା ସମୁଦାୟ ୧୭,୬୫୬ କୋଭିଡ୍‌-୧୯ ଆକ୍ରାନ୍ତ ବାହାରି ସାରିଛନ୍ତି। ସେମାନଙ୍କ ମଧ୍ୟରୁ ୨,୮୪୨ ଜଣ ସୁସ୍ଥ ହୋଇଛନ୍ତି। ପୂରା ପୃଥିବୀରେ ୨୪ ଲକ୍ଷ ୧୬ ହଜାର ୧୩୫ କଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୬ ଲକ୍ଷ ୩୨ ହଜାର ୯୮୩ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର