୫୪ ଜଣଙ୍କୁ ପଦ୍ମ ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଦ୍ବିତୀୟ ପର୍ଯ୍ୟାୟରେ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ରା‌ଷ୍ଟ୍ରପତି ଭବନର ଦରବାର ହଲ୍‌ରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଆଜି ଲୋକ ଗାୟକ ତୀଜନ ବାଇ, ଲା‌ର୍ସେନ୍‌ ଏବଂ ଟର୍ବୋ ଅଧ୍ୟକ୍ଷ ଅନୀଲ କୁମାର ନାୟକ, ବୈଜ୍ଞାନିକ ଏସ୍‌ ନମ୍ବି ନାରାୟଣ, ଅଭିନେତା ମ‌ନୋଜ ବାଜପେୟୀ ଏବଂ ୧୦୭ ବର୍ଷୀୟା ପରିବେଶବିତ୍‌ ସାଲୁମାରଦା ଥିମକ୍କାଙ୍କ ସମେତ ୫୪ ଜଣଙ୍କୁ ପଦ୍ମ ପୁରସ୍କାର ଦିଆଯାଇଛି। ତୀଜନ ବାଇ ଏବଂ ଅନୀଲ କୁମାର ନାୟକଙ୍କୁ ଦେଶର ଦ୍ବିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପ୍ରଦାନ କରାଯାଇଥିବା ‌ବେଳେ ଆର୍ଏସ୍ଏସ୍ ନେତା ଦର୍ଶନ ଲାଲ ଜୈନ, ଏମଡିଏଚ୍‌ ପ୍ରତିଷ୍ଠାତା ସିଇଓ ମହାଶୟ ଧର୍ମପାଳ ଗୁଲାଟୀ, ଡା. ଅଶୋକ ଲକ୍ଷ୍ମଣରାଓ କୁକାଡ଼େ, ନମ୍ବି ନାରାୟଣ, ପର୍ବତାରୋହୀ ବଚେନ୍ଦ୍ରି ପାଲ୍‌ ଏବଂ ପୂର୍ବତନ ସିଏଜି ଭି କେ ସିଙ୍ଗ୍‌ଲୁଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯାଇଛି। ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ହର୍ଷବର୍ଦ୍ଧନ, ରାଜ୍ୟବର୍ଦ୍ଧନ ସିଂହ ରାଠୋର ଓ ବିଜୟ ଗୋଏଲଙ୍କ ସମେତ ବରିଷ୍ଠ ବି‌ଜେପି ନେତା ଏଲ୍‌କେ ଆଡଭାନୀ ଏବଂ ବରିଷ୍ଠ ସରକା‌ରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୧୧ରେ ପ୍ରଥମ ପର୍ଯ୍ୟାୟରେ ୪୭ ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର