ମୁମ୍ବାଇ: ଏକାଧିକ ଦାବି ନେଇ ଆସନ୍ତା ଅକ୍ଟୋବର ୧୩ରେ ଦେଶର ୫୪ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ। ପେଟ୍ରୋଲ ପମ୍ପ ସଙ୍ଘ ପକ୍ଷରୁ ଶନିବାର ଏହି ବନ୍ଦ ଡାକରା ଦିଆଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବର୍ଦ୍ଧିତ ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ପେଟ୍ରୋଲ ପମ୍ପର ମାଲିକମାନେ ଏଭଳି ବନ୍ଦ ଡାକରା ଦେଇଛନ୍ତି।
ଫେଡେରେସନ ଅଫ ମହାରାଷ୍ଟ୍ର ପେଟ୍ରୋଲ ଡିଲରର୍ସ ଆସୋସିଏସନ୍(ଫେମପେଡା) ସଭାପତି ଉଦୟ ଲୋଧ କହିଛନ୍ତି, ୟୁନାଇଟେଡ ପେଟ୍ରୋଲ ଫ୍ରଣ୍ଟର ଏକ ଯୁଗ୍ମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୧୬ ନଭେମ୍ବର ୪ରେ ଉପସ୍ଥାପନ କରାଯାଇଥିବା ଦାବି ପୂରଣ ହୋଇ ନ ଥିବାରୁ ଅକ୍ଟୋବର ୧୩ରେ ଦେଶବ୍ୟାପୀ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ସେ କହିଛନ୍ତି। ଏତଦ୍ବ୍ୟତୀତ ଦୈନନ୍ଦିନ ପେଟ୍ରୋଲ ଦର ପରିବର୍ତ୍ତନ ହେଉଥିବାରୁ ଗ୍ରାହକ ଓ ଡିଲରଙ୍କୁ କ୍ଷତି ସହିବାକୁ ପଡୁଛି। ସେ କହିଛନ୍ତି ଦାବି ପୂରଣ ନ ହେଲେ ଅକ୍ଟୋବର ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ହେବ।
ସୂଚନାଯୋଗ୍ୟ ଗତ ଅକ୍ଟୋବର ୪ରେ ପେଟ୍ରୋଲ ଦର ଲିଟର ପ୍ରତି ୨.୫୦ଟଙ୍କା କମିଥିବା ବେଳେ, ଡିଜେଲ ଲିଟର ପ୍ରତି ୨.୨୫ଟଙ୍କା ଶସ୍ତା ହୋଇଛି। ପେଟ୍ରୋଲ ଓ ଡିଜେଲ ଉପରୁ ମଙ୍ଗଳବାର ଲିଟର ପ୍ରତି ୨ଟଙ୍କା ବେସିକ୍ ଉତ୍ପାଦନ ଶୁଲ୍କ କମିଛି। ଉତ୍ପାଦନ ଶୁକ୍ଲ ହ୍ରାସର ପ୍ରଭାବରେ ପେଟ୍ରୋଲ ଓ ଡିଜେଲ ପୂର୍ବ ତୁଳନାରେ ଶସ୍ତା ହୋଇଛି। ଗତ ଜୁନ ୧୬ରେ ପେଟ୍ରୋଲ ଓ ଡିଜେଲ ଦର ପ୍ରତିଦିନ ପରିବର୍ତ୍ତନ ହେଉଛି।
ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରାଯାଇଥିବା ବେସିକ ଉତ୍ପାଦନ ଶୁଲ୍କ ହ୍ରାସ କରିଛନ୍ତି। ଡାୟନାମିକ ତୈଳ ଦରକୁ ଆପଣାଇବା ଦ୍ୱାରା ଦୈନିକ ବେସିକ ପେଟ୍ରୋଲ ଓ ଡିଜେଲ ଦର ପରିବର୍ତ୍ତନ ହେଉଛି। ଏହି ନିଷ୍ପତ୍ତି ଲାଗୁ ହେବା ପରେ ଜୁଲାଇ ପରେ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୭.୨୯ଟଙ୍କା ବଢ଼ି ଯାଇଛି। ଦିଲ୍ଲୀରେ ପେଟ୍ରୋଲ ଦର ବଢ଼ି ଲିଟର ପ୍ରତି ୭୦.୩୮ଟଙ୍କା ହୋଇଛି। ଏହା ପୂର୍ବରୁ ୨୦୧୪ ଅଗଷ୍ଟରେ ଦିଲ୍ଲୀରେ ପେଟ୍ରୋଲ ମହଙ୍ଗା ହୋଇ ପ୍ରତି ଲିଟର ୭୦.୩୩ ଟଙ୍କା ହୋଇ ଥିଲା। ଏଭଳି ଭାବରେ ଡିଜେଲ ଦର ଜୁଲାଇ ୧ ପରେ ଲିଟର ପ୍ରତି ୫.୩୬ଟଙ୍କା ବଢ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/petrol-1.jpg)