ନୂଆଦିଲ୍ଲୀ: ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆଠାରେ ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହେବ। କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଜି ଏହି ଘୋଷଣା କରିଛନ୍ତି। ଏଥିସହିତ ଶ୍ରୀ ଠାକୁର କହିଛନ୍ତି ଯେ, ଭାରତରେ ନିର୍ମିତ ସିନେମାଗୁଡ଼ିକ ଦେଶର ସୀମା ଅତିକ୍ରମ କରି ଏବେ ବିଶ୍ୱର ଦୂରଦୂରାନ୍ତର ବିଭିନ୍ନ ଅଂଚଳରେ ପହଂଚିବାରେ ଲାଗିଛି। ଚଳିତ ବର୍ଷ ସତ୍ୟଜିତ ରାୟ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ବିଶ୍ୱ ସିନେମାର ଉଜ୍ଜ୍ୱଳ ତାରକା ମାଇକେଲ ଡଗ୍ଲାସ୍ଙ୍କୁ ପ୍ରଦାନ କରାଯିବ।
ନୂତନ ଭାବେ ଆରମ୍ଭ ହୋଇଥିବା ଓଟିଟି ପୁରସ୍କାର ବିଷୟରେ ସେ କହିଛନ୍ତି ଯେ , କୋଭିଡ୍ ୧୯ ମହାମାରୀ ପରଠାରୁ ଭାରତରେ ଓଟିଟି ଶିଳ୍ପ କ୍ଷେତ୍ରରେ ଉନ୍ନତି ଘଟିଛି। ବାର୍ଷିକ ୨୮% ଅଭିବୃଦ୍ଧି ହେଉଥିବା ଏହି କ୍ଷେତ୍ରର ଗତିଶୀଳ ଦୃଶ୍ୟପଟକୁ ଦୃଷ୍ଟିରେ ରଖି ମନ୍ତ୍ରଣାଳୟ ଓଟିଟି ପ୍ଲାଟଫର୍ମରେ ଉତ୍କୃଷ୍ଟ ବିଷୟବସ୍ତୁ ନିର୍ମାତାମାନଙ୍କୁ ସମ୍ମାନ ଜଣାଇ ଏହି ପୁରସ୍କାର ଆରମ୍ଭ କରିଛି। ୧୫ଟି ଓଟିଟି ପ୍ଲାଟଫର୍ମରୁ ୧୦ଟି ଭାଷାରେ ମୋଟ ୩୨ଟି ଏଣ୍ଟ୍ରି ମିଳିଛି ଏବଂ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ।
ଶ୍ରୀ ଠାକୁର ଦେଶରେ ବୃଦ୍ଧି ପାଉଥିବା ଷ୍ଟାର୍ଟଅପ୍ ବିଷୟରେ କହିଥିଲେ ଏବଂ ସରକାର ଏଗୁଡ଼ିକୁ ପରିପୁଷ୍ଟ କରିବା ପାଇଁ ଏକ ସହାୟତା ବ୍ୟବସ୍ଥା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଚଳିତ ବର୍ଷ ଏହି ବିଭାଗରେ ୬୦୦ରୁ ଅଧିକ ଏଣ୍ଟ୍ରି ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଚଳିତ ବର୍ଷ ୭୫ ଜଣ ବିଜେତା ଚୟନ ହେବା ପରେ ୩ ବର୍ଷରେ ମୋଟ ବିଜେତା ସଂଖ୍ୟା ୨୨୫ ରେ ପହଞ୍ଚିବ। ଚଳିତ ବର୍ଷ ଆଇଏଫ୍ଏଫ୍ଆଇ ପାଇଁ ସମସ୍ତ ସ୍ଥାନରେ ଭିନ୍ନକ୍ଷମମାନଙ୍କ ନିମନ୍ତେ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ମନ୍ତ୍ରୀ ବିଶେଷ ଭାବେ ଉଲ୍ଲେଖ କରିଛନ୍ତି। ଦୃଷ୍ଟିହୀନମାନଙ୍କ ପାଇଁ ଅଡିଓ ବର୍ଣ୍ଣନା, ଶ୍ରୁତିବାଧକଙ୍କ ପାଇଁ ସାଙ୍କେତିକ ଭାଷା, ଏକାଧିକ ଭାଷାରେ ବିଷୟବସ୍ତୁ ଡବିଂ ‘ସବ୍କା ସାଥ , ସବ୍କା ବିକାଶ’ ମନ୍ତ୍ରର ପ୍ରତୀକ ହେବ। ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ତାଙ୍କ ସଂକ୍ଷିପ୍ତ ବିବୃତିରେ କହିଛନ୍ତି ଯେ, ଆଇଏଫ୍ଏଫ୍ଆଇ ହେଉଛି ବିଶ୍ୱର ସବୁଠାରୁ ବଡ଼ ଚଳଚ୍ଚିତ୍ର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ। ଅନ୍ତର୍ଜାତୀୟ ଜୁରିର ନେତୃତ୍ୱ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶେଖର କପୁର ନେଉଛନ୍ତି ବୋଲି ସେ ଦର୍ଶକମାନଙ୍କୁ ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/Anurag-Thakur.jpg)