ନୂଆଦିଲ୍ଲୀ: ନିକଟ ଅତୀତରେ ଆତଙ୍କବାଦୀମାନେ କେତେକ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ପରେ ‘ସିଆର୍ପିଏଫ୍’ ଏବଂ ‘ବିଏସ୍ଏଫ୍’ ଯଥାକ୍ରମେ ୩୦୦୦ ଏବଂ ୨,୫୦୦ ଯବାନ ପଠାଇ ଜମ୍ମୁ ଓ କଶ୍ମୀରରେ ସୈନ୍ୟ ମୁତୟନ ପରିମାଣ ବଢ଼ାଇ ଦେଇଛନ୍ତି।
କଶ୍ମୀର ‘ଆଇଜିପି’ ବିଜୟ କୁମାରଙ୍କ କହିବା ଅନୁସାରେ, ଚଳିତ ବର୍ଷ ପ୍ରାରମ୍ଭରୁ କଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ମୁକାବିଲା ଅଭିଯାନରେ ପ୍ରାୟ ୧୩୦ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ବ୍ୟତିରେକେ, ୩୯ଜଣ ଆତଙ୍କବାବୀ ଓ ସେମାନଙ୍କୁ ସହାୟତା କରୁଥିବା ୭୦୦ରୁ ଅଧିକ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ଚଳିତ ବର୍ଷ ଜମ୍ମୁ ଡିଭିଜନ୍ରେ ୮ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିବା ବେଳେ ୧୬ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିବା କଥା ଜମ୍ମୁ ‘ଏଡିଜିପି’ ଓ ‘ଆଇଜିପି’ ମୁକେଶ ସିଂହ ଗଣମାଧ୍ୟମକୁ କହିଛନ୍ତି।
/sambad/media/post_attachments/wp-content/uploads/2021/11/army1.jpg)
‘ସିଆର୍ପିଏଫ୍’ର ଜଣେ ମୁଖପାତ୍ର କହିଛନ୍ତି ଯେ, ସାଧାରଣ ନାଗରିକମାନଙ୍କୁ ହତ୍ୟା କରିବା ନିମନ୍ତେ ଆତଙ୍କବାଦୀମାନେ କରୁଥିବା ‘ଭର୍ଚ୍ୟୁଆଲ୍’ ସଦସ୍ୟ ମନୋନୟନ ଭଳି କେତେକ ସରଳିଆ କୌଶଳର ମୁକାବିଲା ପାଇଁ ଉପରୋକ୍ତ ସୈନିକମାନଙ୍କୁ ମୁତୟନ କରାଯାଇଛି।
‘ସିଆର୍ପିଏଫ୍’ର ଜଣେ ଅଧିକାରୀ ମଧ୍ୟ କହିଛନ୍ତି ଯେ, ନିକଟ ଅତୀତରେ ବିଶେଷକରି, ଶ୍ରୀନଗରରେ ଅଧିକସଂଖ୍ୟକ ସାଧାରଣ ନାଗରିକୁ ଆତଙ୍କବାଦୀମାନେ ହତ୍ୟା କରିବାରୁ ସେଠାରେ ସୈନ୍ୟ ମୁତୟନ ସଂଖ୍ୟା ବୃଦ୍ଧି କରାଯାଇଛି। ସୈନିକମାନେ ରାତିରେ ମଧ୍ୟ ଅଭିଯାନ ଚଳାଉଛନ୍ତି। କଶ୍ମୀରରେ ‘ବିଏସ୍ଏଫ୍’ ଅତିରିକ୍ତ ୨୫ କମ୍ପାନି ସେନା ମୁତୟନ କରିଥିବା ବେଳେ ‘ସିଆର୍ପିଏଫ୍’ ମଧ୍ୟ ୨୫ କମ୍ପାନି ଯବାନ ପଠାଇଛି ଏବଂ ଆଗାମୀ ସପ୍ତାହରେ ଆଉ ଆଉ ୫ କମ୍ପାନି ଯବାନ ପ୍ରେରଣ କରିବ।