ରୁଷ ଉପରେ ୫,୫୩୨ କଟକଣା: ସର୍ବାଧିକ କଟକଣା ଲାଗିଥିବା ଦେଶ, ଇରାନ, ଉତ୍ତର କୋରିଆଠୁ ବି ଅଧିକ

ନୂଆଦିଲ୍ଲୀ,: ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ଦେଶ ରୁଷ ଉପରେ ୫,୫୩୨ ପ୍ରକାର କଟକଣା ଲଗାଯାଇଛି। ଯୁଦ୍ଧକୁ ବିରୋଧ କରି ଆମେରିକା ଓ ୟୁରୋପର ବହୁ ଶକ୍ତିଶାଳୀ ଦେଶ ଏହି କଟକଣାଗୁଡ଼ିକ ଲଗାଇଛନ୍ତି। ସର୍ବାଧିକ କଟକଣା ଲାଗିଥିବା ଦେଶଗୁଡ଼ିକ ତାଲିକାରେ ରୁଷ ଏକ ନମ୍ବର ସ୍ଥାନରେ ରହିଛି। ନ୍ୟୁୟର୍କ ସହରର ସଂସ୍ଥା କ୍ୟାଷ୍ଟେଲମ୍‌ ଡଟ୍‌ ଏଆଇ ନାମକ ୱେବସାଇଟ୍‌ ତଥ୍ୟ ଅନୁଯାୟୀ, ୟୁକ୍ରେନ୍‌ର ଦୁଇଟି ପ୍ରାନ୍ତ ଡୁନେସ୍କ ଓ ଲୁହାନସ୍କକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ବାଧୀନ ପ୍ରଦେଶ ଘୋଷଣା କରିବା ପରେ ଚଳିତ ବର୍ଷ ଫେବ୍ରୁଆରି ୨୨ରେ ଆମେରିକା ଓ ଏହାର ମେଣ୍ଟ ରାଷ୍ଟ୍ରଗୁଡ଼ିକ ରୁଷ ଉପରେ କଟକଣା ଲଗାଇବା ଆରମ୍ଭ କରିଥିଲେ। ଫେବ୍ରୁଆରି ୨୪ରେ ରୁଷ ସାମରିକ ପଦକ୍ଷେପ ଗ୍ରହଣ କରିବା ପରେ ଗୋଟିଏ ପରେ ଏହା ଉପରେ ଶତାଧିକ କଟକଣା ଲଗାଯାଇଛି।

ଫେବ୍ରୁଆରି ୨୪ ପୂର୍ବରୁ ରୁଷ ଉପରେ ୨,୭୫୪ ପ୍ରକାର କଟକଣା ଲାଗିଥିଲା। ଏହା ପରେ ଆଉ ୨,୭୭୮ ନୂଆ କଟକଣା ଲଗାଯାଇଛି। ମୋଟ କଟକଣା ସଂଖ୍ୟା ୫,୫୩୨ରେ ପହଞ୍ଚିଛି। ସର୍ବାଧିକ କଟକଣା ଲାଗିଥିବା ଦେଶ ତାଲିକାରେ ପୂର୍ବରୁ ଇରାନ ପ୍ରଥମ ସ୍ଥାନରେ ଥିଲା। ଇରାନ ଉପରେ ୩,୬୧୬ ପ୍ରକାର କଟକଣା ଲାଗିଛି। ଏବେ ଏହି ତାଲିକାରେ ଇରାନ ଓ ଉତ୍ତର କୋରିଆ ଭଳି ଦେଶକୁ ରୁଷ ପଛରେ ପକାଇ ଦେଇଛି। ରୁଷ ଉପରେ ସ୍ବିଜରଲ୍ୟାଣ୍ଡ୍ ୫୬୮, ୟୁରୋପୀୟ ସଂଘ ୫୧୮, କାନାଡା ୪୫୪, ଅଷ୍ଟ୍ରେଲିଆ ୪୧୩, ଆମେରିକା ୨୪୩, ବ୍ରିଟେନ ୩୫ ଓ ଜାପାନ ୩୫ କଟକଣା ଲଗାଇଛନ୍ତି। ୟୁଦ୍ଧରୁ ବିରତ ରହିବା ପାଇଁ ରୁଷ ଉପରେ ଚାପ ସୃଷ୍ଟି କରିବାକୁ ଏଭଳି କଟକଣା ସବୁ ଲଗାଯାଇଛି, କିନ୍ତୁ ସେଗୁଡ଼ିକୁ ପୁଟିନ ଖାତିର କରୁନାହାନ୍ତି। ରୁଷ ୩୪୩ ସଂସ୍ଥା ଓ ୨,୪୨୭ ବ୍ୟକ୍ତିବିଶେଷଙ୍କ ବିରୋଧରେ ମଧ୍ୟ କଟକଣା ଲଗାଯାଇଛି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର