ଚମୋଲି: ଉତ୍ତରାଖଣ୍ଡର ଚମୋଲିରେ ଗତ ରବିବାର(ଫେବ୍ରୁଆରି—୭)ରେ ଗ୍ଲାସିୟର ଫାଟିବାରୁ ଅଚାନକ ବନ୍ୟା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୫ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକ ନିଖୋଜ ଥିବା ଜଣାପଡ଼ିଛି।
ଋଷିଗଙ୍ଗା ହିମସ୍ଖଳନ ଯୋଗୁଁ ବ୍ୟାପକ କ୍ଷତି ହୋଇଥିବା ‘ଏନ୍ଟିପିସି’ର ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍ ପ୍ରକଳ୍ପରେ ଦ୍ରୁତ ଉଦ୍ଧାର ଅଭିଯାନ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ତେବେ ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସହ ଅନେକ କାଦୁଅରେ ଫସିରହିଥିବା ଆଶଙ୍କା କରି ସର୍ଚ୍ଚ ଅପରେସନକୁ ଆହୁରି ତୀବ୍ର କରାଯାଇଛି।
ପ୍ରାୟ ସପ୍ତାହେ ହେବ ବନ୍ୟାପ୍ଳାବିତ ତପୋବନ-ବିଷ୍ଣୁଗଡ଼ ଜଳବିଦ୍ୟୁତ୍ ପ୍ରକଳ୍ପ ସୁଡ଼ଙ୍ଗ ମଧ୍ୟରେ ଫସି ରହିଥିବା ୩୦ଜଣ ଲୋକଙ୍କୁ ଉଦ୍ଧାର କରିବା ନିମନ୍ତେ ଶନିବାର ଦିନ ଉଦ୍ଧାରକାରୀମାନେ ଅଧିକ ପ୍ରସସ୍ଥ ଓ ଗଭୀର ଗର୍ତ୍ତ ଖନନ କରିଥିଲେ। ଏନ୍ଟିପିସି ପକଳ୍ପର ଜେନେରାଲ୍ ମ୍ୟାନେଜର୍ ଆର୍ପି ଶିର୍ଓ୍ଵାଲ୍ କହିଛନ୍ତି, ଏକ ଫୁଟ୍ ବ୍ୟାସର ଗର୍ତ୍ତ ଯୋଗେ ସୁଡ଼ଙ୍ଗ ମଧ୍ୟରେ ଅଟକି ରହିଥିବା ଲୋକମାନଙ୍କ ଅବସ୍ଥିତି ଆକଳନ କରିବା ଲାଗି କ୍ୟାମେରା ଏବଂ ଭିତରେ ଜମିଥିବା ପାଣି ନିଷ୍କାସନ ନିମନ୍ତେ ପାଇପ୍ ଭର୍ତ୍ତି କରିହେବ।