ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ ହୋଇଛି। ଏହା ମଧ୍ୟରୁ ବିହାରରେ ୫୨.୩୫ ପ୍ରତିଶତ, ଜମ୍ମୁ-କଶ୍ମୀରରେ ୫୪.୨୧ ପ୍ରତିଶତ, ଝାଡ଼ଖଣ୍ଡରେ ୬୧.୯୦ ପ୍ରତିଶତ, ଲଦାଖରେ ୬୭.୧୫ ପ୍ରତିଶତ, ମହାରାଷ୍ଟ୍ରରେ ୪୮.୬୬ ପ୍ରତିଶତ, ଓଡ଼ିଶାରେ ୬୦.୫୫ ପ୍ରତିଶତ, ଉତ୍ତରପ୍ରଦେଶରେ ୫୫.୮୦ ପ୍ରତିଶତ ଏବଂ ପଶ୍ଚିମବଙ୍ଗରେ ୭୩ ପ୍ରତିଶତ ମତଦାନ ହୋଇଛି। ୫ଟା ପରେ ବି ଅନେକ ମତଦାନ କେନ୍ଦ୍ର ପରିସରରେ ଲୋକମାନେ ଧାଡ଼ି ବାନ୍ଧି ଭୋଟ ଦେବାକୁ ଅପେକ୍ଷା କରିରହିଥିବାରୁ ଚୂଡ଼ାନ୍ତ ଭୋଟପ୍ରତିଶତ ବଢିପାରେ । ତେବେ ନିର୍ବାଚନ କମିସନଙ୍କ ପକ୍ଷରୁ ଚୂଡ଼ାନ୍ତ ଭୋଟ ପ୍ରତିଶତ ଜାରି ହେବାକୁ ଆଉ କିଛି ଦିନ ଲାଗିପାରେ ।
ସୂଚନାଯୋଗ୍ୟ ଯେ ୫ମ ପର୍ଯ୍ୟାୟରେ ଆଜି ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ୪୯ଟି ଆସନରେ ଭୋଟଗ୍ରହଣ ହୋଇଥିଲା । ଓଡ଼ିଶା ପାଇଁ ଏକ ୨ୟ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଏହି ପର୍ଯ୍ୟାୟରେ ୫ଟି ଲୋକସଭା ଆସନ-ଆସ୍କା, କନ୍ଧମାଳ,ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼ ପାଇଁ ଭୋଟଗ୍ରହଣ ହୋଇଥିଲା । ଏସବୁ ଲୋକସଭା କ୍ଷେତ୍ର ଅଧିନରେ ଆସୁଥିବା ୩୫ ବିଧାନସଭା ଆସନ ପାଇଁ ବି ଭୋଟଗ୍ରହଣ ହୋଇଥିଲା ।