ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫୬୧୧୦ ରୋଗୀ ସୁସ୍ଥ

୭୦ ପ୍ରତିଶତକୁ ଟପିଲା ଆରୋଗ୍ୟ ହାର

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୬୧୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦକ୍ଷତାପୂର୍ଣ୍ଣ ଆବଧାଞ୍ଚଳ ପରିଚାଳନା, ବ୍ୟାପକ ନମୁନା ପରୀକ୍ଷଣ ଓ ଗୁଣାତ୍ମକ ଉପଚାର ଯୋଗୁଁ ଏହା ସମ୍ଭବ ହୋଇପାରିଛି । କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସମନ୍ଵିତ ଉଦ୍ୟମ ଯୋଗୁଁ ଆରୋଗ୍ୟ ହାର ମଧ୍ୟ ନିୟମିତ ଭାବେ ବୃଦ୍ଧି ପାଉଛି । ଜୁଲାଇ ପ୍ରଥମ ସପ୍ତାହରେ ପ୍ରତିଦିନ ହାରାହାରି ୧୫ ହଜାର ରୋଗୀ ଆରୋଗ୍ୟ ହେଉଥିବା ବେଳେ ଚଳିତ ମାସର ପ୍ରଥମ ସପ୍ତାହରେ ପ୍ରତିଦିନ ଏହା ୫୦ ହଜାରରୁ ଅଧିକ ହୋଇଛି ।

ଅଧିକ ରୋଗୀ ଆରୋଗ୍ୟ ହୋଇ ହସ୍ପିଟାଲ ଓ ଘରୋଇ ଏକାନ୍ତବାସରୁ ମୁକ୍ତ ହେଉଥିବା ବେଳେ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୬ ଲକ୍ଷ ଟପି ୧୬,୩୯,୫୯୯ରେ ପହଞ୍ଚିଛି । ଆରୋଗ୍ୟ ହାର ମଧ୍ୟ ୭୦.୩୮ ପ୍ରତିଶତରେ ପହଞ୍ଚିଛି । ଦେଶରେ ପ୍ରକୃତ ସକ୍ରିୟ ରୋଗୀ ସଂଖ୍ୟା ୬,୪୩,୯୪୮ ଯାହାକି ମୋଟ ପଜିଟିଭ ସଂଖ୍ୟାର ୨୭.୬୪ ପ୍ରତିଶତ । ସେମାନେ ସକ୍ରିୟ ଡାକ୍ତରୀ ତତ୍ଵାବଧାନରେ ଅଛନ୍ତି ।

ଏହିପରି କ୍ରମାଗତ ଭାବେ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀଙ୍କ ତୁଳନାରେ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ପାଖାପାଖି ୧୦ ଲକ୍ଷରୁ ଅଧିକ ହୋଇଛି । ହସ୍ପିଟାଲ ଉପଚାରର ଗୁଣାତ୍ମକ ମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା ତଥା ରୋଗୀମାନଙ୍କୁ ତୁରନ୍ତ ଆମ୍ବୁଲାଂଶ ଯୋଗେ ଡାକ୍ତରଖାନାରେ ପହଞ୍ଚାଇ ସମୟୋପଯୋଗୀ ଉପଚାର କରାଇବା ଯୋଗୁଁ ମୃତ୍ୟୁହାର ମଧ୍ୟ ଆଶାତୀତ ହ୍ରାସ ପାଇଛି । ଏହା ବିଶ୍ଵର ଅନ୍ୟାନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ ହୋଇ ମାତ୍ର ୧.୯୮ ପ୍ରତିଶତରେ ରହିଛି ।

ସମ୍ବନ୍ଧିତ ଖବର