ମୁମ୍ବାଇ: ମୁମ୍ବାଇ ସହରର ୩ଟି ୱାର୍ଡ‌୍‌ରେ ପ୍ରାୟ ୭,୦୦୦ ଲୋକଙ୍କୁ ନେଇ ହୋଇଥିବା ଏକ ସେରୋ ସର୍ଭେରୁ ଜଣାପଡ଼ିଛି ଯେ, ବସ୍ତିରେ ରହୁଥିବା ପ୍ରାୟ ୫୭ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ଶରୀରରେ କରୋନା ସହ ଲଢ଼ିବାପାଇଁ ଏଣ୍ଟିବଡି (ରୋଗ ପ୍ରତିରୋଧକ) ରହିଛି । ଅନ୍ୟପକ୍ଷେ ଅଣ ବସ୍ତି ଅଞ୍ଚଳରେ ୧୬ ପ୍ରତିଶତ ଲୋକ କରୋନା ସଂକ୍ରମିତ ହୋଇଛନ୍ତି ଏବଂ ସେମାନଙ୍କ ଶରୀରରେ ମଧ୍ୟ କରୋନା ସହ ଲଢ଼ିବାପାଇଁ ଏଣ୍ଟିବଡି ରହିଛି। ଆର୍‌ ଉତ୍ତର (ଦହିସାର୍‌), ଏମ୍‌ ପଶ୍ଚିମ (ଚେମ୍ବୁର) ଏବଂ ଏଫ୍‌ ଉତ୍ତର (ସିଅନ୍‌, ଜିଟିବି ନଗର ଏବଂ ମତୁଙ୍ଗା)ସେରୋ ସର୍ଭେ ହୋଇଥିଲା। ବିଏମ୍‌ସି ସହ ନିତି ଆୟୋଗ ଏବଂ ଟିଆଇଏଫ୍‌ଆର (ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ‌୍) ଦ୍ବାରା ଜୁଲାଇ ପ୍ରଥମ ସପ୍ତାହରେ ଏହି ଅଧ୍ୟୟନ ହୋଇଥିଲା। ଉଭୟ ବସ୍ତି ଏବଂ ଅଣ ବସ୍ତି ଅଞ୍ଚଳରୁ ୬,୯୩୬ ନମୁନା ସଂଗ୍ରହ ହୋଇଥିଲା। କେବଳ ବସ୍ତି ଅଞ୍ଚଳରେ ୫୭ ପ୍ରତିଶତ ସଂକ୍ରମିତ ହୋଇଛନ୍ତି ବୋଲି ଏଥିରୁ ଜଣାପଡ଼ିଛି।

Advertisment

ମୁମ୍ବାଇରେ ପ୍ରାୟ ୪୨ ପ୍ରତିଶତ ଲୋକ ବସ୍ତିରେ ବସବାସ କରୁଥିବାରୁ ଏହି ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ, ମୁମ୍ବାଇରେ ଅନେକ ସଂଖ୍ୟାରେ ଲୋକ କରୋନା ସଂକ୍ରମିତ ହୋଇସାରିଛନ୍ତି ଏବଂ ରୋଗ ସହ ଲଢ଼ିବାପାଇଁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିର ବିକାଶ ମଧ୍ୟ ହୋଇଛି। ତେବେ ବିଶ୍ବରେ ପ୍ରଥମ ଥର ପାଇଁ କୌଣସି ଏକ ସ୍ଥାନରେ ଲୋକମାନଙ୍କ ଶରୀରରେ ଏତେ ପରିମାଣରେ ଏଣ୍ଟିବଡି ଥିବା ଜଣାପଡ଼ିଛି। ଏହି ଅଧ୍ୟୟନର ଫଳାଫଳ ଗୋଷ୍ଠୀ ରୋଗ ପ୍ରତିରୋଧକତା ଏବଂ ରୋଗ ସଂକ୍ରମଣକୁ ଭଲଭାବେ ବୁଝିବାରେ ସହାୟକ ହେବ ବୋଲି ଟିଆଇଏଫ୍‌ଆର ଡ. ଉଲ୍ଲାସ କୋଲଥୁର ସୀତାରାମ କହିଛନ୍ତି। ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ ଲକ୍ଷଣ ନଥିବା ମାମଲା ଅଧିକ ରହିଛି। ଅଧିକାଂଶ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ସଂକ୍ରମଣର କୌଣସି ଲକ୍ଷଣ ନାହିଁ। ତେବେ ମୁମ୍ବାଇରେ ଗୋଷ୍ଠୀ ରୋଗପ୍ରତିରୋଧକତା ଆରମ୍ଭ ହୋଇଛି ବୋଲି କହିହେବ ନାହିଁ। ଏନେଇ ଆହୁରି ଅଧିକ ଅଧ୍ୟୟନ କରାଯିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅଧ୍ୟୟନରୁ ଜଣାପଡ଼ିଛି ବସ୍ତି ଜନସଂଖ୍ୟାଙ୍କ ମଧ୍ୟରେ ଭାଇରସ୍‌ ଦ୍ରୁତ ଗତିରେ ବ୍ୟାପିଛି। ତେବେ ୭୦ ପ୍ରତିଶତ ସଂକ୍ରମଣ ମାମଲା ବସ୍ତି ଏବଂ ୩୦ ପ୍ରତିଶତ ମାମଲା ଅଣ ବସ୍ତି ଅଞ୍ଚଳରୁ ଆସିଥିବାରୁ ମୁମ୍ବାଇରେ ବସ୍ତି ଉପରେ ପୁଣି ଫୋକସ୍‌ କରାଯାଇଛି। ବସ୍ତି ପାଇଁ ମୁମ୍ବାଇ ପୁଣିଥରେ ଏହାର କୋଭିଡ ମୁକାବିଲା ରଣନୀତି ବଦଳାଇ ଦେବ।