ଊହାନର ଚିଙ୍ଗୁଡ଼ି ବିକ୍ରେତା ମହିଳା ଅନ୍ୟତମ ପ୍ରଥମ କୋଭିଡ୍-୧୯ ଆକ୍ରାନ୍ତ ବା “ପେସେଣ୍ଟ୍ ଜିରୋ’: ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀର ଉତ୍ପତ୍ତିସ୍ଥଳ ଚିନର ଊହାନ୍ ସହରର ଜଣେ ଚିଙ୍ଗୁଡ଼ି ବିକ୍ରେତା ମହିଳା ଅନ୍ୟତମ ପ୍ରଥମ ଆକ୍ରାନ୍ତ ବୋଲି ଚିହ୍ନଟ କରାଯାଇଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ।

“ପେସେଣ୍ଟ୍ ଜିରୋ’ କୁହାଯାଉଥିବା ଏହି କରୋନାଭାଇରସ୍ ଆକ୍ରାନ୍ତ ମହିଳା ଦୀର୍ଘ ଏକମାସ ଚିକିତ୍ସିତ ହେବା ପରେ ଜାନୁଆରି ମାସରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିଲେ ।

“ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ସମ୍ବାଦପତ୍ର ଚିହ୍ନଟ କରିଥିବା ସେ ମହିଳାଙ୍କ ନାମ ହେଉଛି ୱେଇ ଗୁଇଜିଆନ୍ । ହୁଆନାନ୍ ସି’ଫୁଡ୍ ମାର୍କେଟରେ ଚିଙ୍ଗୁଡ଼ି ବିକୁଥିବା ବେଳେ ଡିସେମ୍ବର ୧୦ ତାରିଖ ଦିନ ତାଙ୍କୁ ଥଣ୍ଡା ଧରିଥିଲା । ସାଧାରଣ ଥଣ୍ଡା ଧରିଛି ଭାବି ୱେଇ ଚିକିତ୍ସା ନିମନ୍ତେ ସ୍ଥାନୀୟ କ୍ଲିନିକକୁ ଯାଇଥିଲେ । ସେଠାରେ ତାଙ୍କୁ ଇଂଜେକ୍ସନ୍ ଦିଆଯାଇଥିଲା ବୋଲି “ମିରର୍ ୟୁକେ’ ରିପୋର୍ଟ କରିଛି । ପୁଣି ୱେଇଙ୍କୁ ଦୁର୍ବଳିଆ ଲାଗିବାରୁ ସେ ପରଦିନ ଊହାନସ୍ଥିତ ଇଲେଭନଥ୍ ହସପିଟାଲ ଯାଇଥିଲେ ।

Image Source: Live Mint

କିନ୍ତୁ, ଦ୍ରୌବଲ୍ୟ ସେମିତି ଲାଗି ରହିବାରୁ ୱେଇ ଡିସେମ୍ବର ୧୦ ତାରିଖ ଦିନ ସେ ଅଞ୍ଚଳର ଅନ୍ୟତମ ବଡ଼ ଡାକ୍ତରଖାନା ଊହାନ୍ ୟୁନିୟନ୍ ହସପିଟାଲ୍ ଯାଇଥିଲେ । ତାଙ୍କର ଅସୁସ୍ଥତା ଜଟିଳ ଏବଂ ସମାନ ଲକ୍ଷଣ ଥିବା ଅନେକ ଲୋକ ହୁଆନାନ୍ ମାର୍କେଟରୁ ଡାକ୍ତରଖାନାକୁ ଆସି ସାରିଛନ୍ତି ।

ଡିସେମ୍ବର ଶେଷରେ ୱେଇଙ୍କୁ କ୍ୱାରେଣ୍ଟିନରେ ରଖାଗଲା । କାରଣ ସି’ଫୁଡ୍ ମାର୍କେଟରୁ କରୋନାଭାଇରସ୍ ବାହାରୁଛି ବୋଲି ଡାକ୍ତରମାନେ ଘୋଷଣା କରିଥିଲେ । ଜାନୁଆରି ମାସରେ “ପେସେଣ୍ଟ୍ ଜିରୋ’ ୱେଇ ସୁସ୍ଥ ହେଲେ । ତାଙ୍କର ବିଶ୍ୱାସ ସେ ବଜାରରେ ମାଂସ ବିକ୍ରେତାମାନେ ସାମୂହିକ ଭାବେ ବ୍ୟବହାର କରୁଥିବା ଶୌଚାଳୟକୁ ଯାଇ ସେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ।

ଏକ ବିବୃତିରେ ଊହାନ୍ ମୁନିସିପାଲ୍ ହେଲଥ୍ କମିସନ୍ କହିଛନ୍ତି ଯେ ପ୍ରଥମ ୨୭ ଜଣଙ୍କ ମଧ୍ୟରୁ ୱେଇ ଅନ୍ୟତମା । କିନ୍ତୁ, ସେ ପ୍ରଥମ କରୋନାଭାଇରସ୍ ଆକ୍ରାନ୍ତ ହୋଇ ନ ଥାଇ ପାରନ୍ତି ।

ସମ୍ବନ୍ଧିତ ଖବର