୫୭ ହଜାର ୩୭୦ ନୂଆ ସଂକ୍ରମଣ, ଲଗାତାର ୨ଦିନ ଧରି ସକ୍ରିୟ ମାମଲା ୭ ଲକ୍ଷରୁ କମ୍‌

ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ୭୮ ଲକ୍ଷ ୧୪ ହଜାର ଟପିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୩ ହଜାର ୩୭୦ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ୬୫୦ ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୭୮ ଲକ୍ଷ ୧୪ ହଜାର ୬୮୨କୁ ବୃଦ୍ଧି ପାଇଛି। ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୭ ହଜାର ୯୫୬ରେ ପହଞ୍ଚିଛି। ମୃତ୍ୟୁହାର ମଧ୍ୟ ୧.୫୧ ପ୍ରତିଶତକୁ ଖସିଯାଇଛି। ଦେଶରେ ଏବେ ୬ ଲକ୍ଷ ୮୦ ହଜାର ୬୮୦ ସକ୍ରିୟ ମାମଲା ରହିଛି। ଏହା ‌ମୋଟ୍‌ ସଂକ୍ରମଣ ମାମଲାର ୮.୭୧ ପ୍ରତିଶତ। ତେବେ ଆଇସିଏମ୍‌ଆର ଅନୁଯାୟୀ ଅକ୍ଟୋବର ୨୩ ସୁଦ୍ଧା ଦେଶରେ ୧୦ କୋଟି ୧୩ ଲକ୍ଷ ୮୨ ହଜାର ୫୬୪ ନମୁନା ପରୀକ୍ଷା ହୋଇଛି। ଗତକାଲି ୧୨ ଲକ୍ଷ ୬୯ ହଜାର ୪୭୯ ନମୁନା ପରୀକ୍ଷା ହୋଇଥିଲା।

ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୭୦ ଲକ୍ଷ ଟପିଯାଇଛି। ମୋଟ୍‌ ୭୦ ଲକ୍ଷ ୮ ହଜାର ୧୬୨ ଜଣ କରୋନାରୁ ସୁସ୍ଥ ହେଲେଣି। ଏଥିସହ ଆରୋଗ୍ୟ ହାର ୮୯.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଭାରତର ଆରୋଗ୍ୟ ସଂଖ୍ୟା ସମଗ୍ର ବିଶ୍ବରେ ସବୁଠୁ ଅଧିକ ରହିଛି ବୋଲି କୁହାଯାଇଛି। ତେବେ ୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ତଥା ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡ଼ୁ, ଉତ୍ତରପ୍ରଦେଶ ଏବଂ ଦିଲ୍ଲୀରୁ ମୋଟ୍‌ ୬୧ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ମହାରାଷ୍ଟ୍ରରୁ ୨୦.୬ ପ୍ରତିଶତ ରୋଗୀ କରୋନାରୁ ସୁସ୍ଥ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରୁ ୧୦.୯ ପ୍ରତିଶତ, କର୍ଣ୍ଣାଟକରୁ ୯.୯ ପ୍ରତିଶତ, ତାମିଲନାଡ଼ୁରୁ ୯.୪ ପ୍ରତିଶତ , ଉତ୍ତରପ୍ରଦେଶରୁ ୬.୧ ପ୍ରତିଶତ ଏବଂ ଦିଲ୍ଲୀରୁ ୪.୧ ପ୍ରତିଶତ ‌ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର