ମଦ କାରଖାନାରୁ ୫୮ ଶିଶୁ ଶ୍ରମିକ ଉଦ୍ଧାର: ବଳପୂର୍ବକ କାମରେ ଲଗାଯାଇଥିଲା

ଉଦ୍ଧାର ପରେ ଅନେକ ଶିଶୁ ନିଖୋଜ

ରାଇସେନ: ମଧ୍ୟପ୍ରଦେଶର ରାଇସେନ ଜିଲ୍ଲାରେ ଥିବା ଏକ ମଦ କାରଖାନାରୁ ୩୯ ଜଣ ବାଳକ ଓ ୧୯ ଜଣ ବାଳିକାଙ୍କୁ ପୁଲିସ ଉଦ୍ଧାର କରିଛି। ଏହି ପିଲାମାନଙ୍କୁ ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ବଳପୂର୍ବକ କାମରେ ନିୟୋଜିତ କରାଯାଇଥିଲା। ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ଏବଂ ବଚ୍‌ପନ ବଞ୍ଚାଅ ଆନ୍ଦୋଳନ (ବିବିଏ)ର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ବଢ଼ ଧରଣର ଚଢ଼ଉ ପରେ ପିଲାମାନଙ୍କୁ ଉଦ୍ଧାର କରାଯିବା ସମ୍ଭବ ହୋଇଥିଲା। ଏନ୍‌ସିପିସିଆର ଅଧ୍ୟକ୍ଷ ପ୍ରିୟଙ୍କ କାନୁନ୍‌ଗୋଙ୍କ ନେତୃତ୍ୱରେ ଏକ ଟିମ୍ ସୋମ୍‌ ଡିଷ୍ଟିଲେରିରୁ ୫୮ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା। ରାସାୟନିକ ପଦାର୍ଥ ଓ ମଦ ସଂସ୍ପର୍ଶରେ ଆସିବାରୁ ପିଲାମାନଙ୍କ ହାତରେ କ୍ଷତ ସୃଷ୍ଟି ହୋଇଥିଲା।

ଏହି ଶିଶୁମାନଙ୍କୁ ସେମାନଙ୍କ ମାଲିକ ଏକ ବସ୍‌ରେ ପ୍ରତିଦିନ ପରିବହନ କରାଉଥିଲେ ଏବଂ ଦୈନିକ ୧୨-୧୪ ଘଣ୍ଟା କାମ କରାଉଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏକ୍ସ’ରେ ଏକ ପୋଷ୍ଟ୍‌ କରି କହିଛନ୍ତି ଯେ କାରଖାନାରେ ଚଢ଼ାଉ ପରେ ଏତେ ସଂଖ୍ୟକ ଶିଶୁ ଉଦ୍ଧାର ହେବା ଏକ ଗମ୍ଭୀର ପ୍ରସଙ୍ଗ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯାଦବ କହିଛନ୍ତି। ଅନ୍ୟପକ୍ଷରେ ଉଦ୍ଧାର ହୋଇଥିବା ପିଲାଙ୍କ ମଧ୍ୟରୁ ଅଧିକାଂଶ ପିଲା ହଠାତ ଗାଏବ ହୋଇଯିବା ପ୍ରଶାସନ ପାଇଁ ଚିନ୍ତାର କାରଣ ହୋଇଛି। ସେମାନଙ୍କୁ ପ୍ରମାଣ ନଷ୍ଟ ପାଇଁ ଗାଏବ କରାଯାଇଛି କିମ୍ବା ପିଲାମାନେ ନିଜେ ଘରକୁ ଫେରିଯାଇଛନ୍ତି ସେ ସଂପର୍କରେ ଖୋଳତାଡ଼ ଚାଲିଛି।

ସମ୍ବନ୍ଧିତ ଖବର