ନୂଆଦିଲ୍ଲୀ: ଡିଜିଟାଇଜେସନ ଅଭିଯାନ ଜରିଆରେ ୫.୮ କୋଟି ଜାଲ ରାସନ କାର୍ଡକୁ ହଟାଇବାରେ କେନ୍ଦ୍ର ସରକାର ସଫଳ ହୋଇଥିବା ଖାଦ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ୍‌) ଜରିଆରେ ୮୦.୬ କୋଟି ହିତାଧିକାରୀଙ୍କୁ ରାସନ ଦିଆଯାଉଛି। ତେବେ କୋଟି କୋଟି ଅଯୋଗ୍ୟ ଲୋକ ରାସନ ପାଉଥିବା ନେଇ ଅଭିଯୋଗ ଥିଲା। ସେଭଳି ଜାଲ ରାସନକାର୍ଡଗୁଡ଼ିକୁ ହଟାଇବା ଲାଗି ଆଧାର ଆଧାରିତ ପ୍ରମାଣୀକରଣ ଓ ଇଲେକ୍ଟ୍ରୋନିକ୍ସ କେୱାଇସି ଲାଗୁ କରାଯାଇଥିଲା। ଏହାଦ୍ବାରା ଜାଲ ରାସନ କାର୍ଡ ସଂଖ୍ୟା କମ୍ ହୋଇଥିବା ବେ‌‌ଳେ ସଠିକ୍ ହିତାଧିକାରୀଙ୍କ ପାଖରେ ରାସନ ପହଞ୍ଚୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଏକ ସମୟରେ ଏହି ସୂଚନା ଦିଆଯାଇଛି ଯେତେବେଳେ ଏକ ସଂସ୍ଥା ରିପୋର୍ଟ ଜାରି କରି ଦେଶର ୨୮ ପ୍ରତିଶତ ରାସନର ବାଟମାରଣା ହେଉଥିବା ଦାବି କରିଛି। ଏହାର ପ୍ରଭାବରେ ବର୍ଷକୁ ୬୯ ହଜାର କୋଟି ଟଙ୍କାର କ୍ଷତି ହେଉଥିବା ରିପୋର୍ଟରେ କୁହାଯାଇଛି। 

Advertisment

ମନ୍ତ୍ରଣାଳୟ ସୂଚନା ଅନୁସାରେ ୨୦.୪ କୋଟି ରାସନ କାର୍ଡକୁ ଡିଜିଟାଇଜ୍ କରାଯାଇଥିବା ବେଳେ ୯୯.୮ ପ୍ରତିଶତ କାର୍ଡ ସହ ଆଧାର ଲିଙ୍କ୍ ହୋଇଛି। ୯୮.୭ ପ୍ରତିଶତ ହିତାଧିକାରୀଙ୍କ ବାୟୋମେଟ୍ରିକ୍ ତଥ୍ୟ ପ୍ରମାଣୀକରଣ କରାଯାଇଛି। ସଠିକ୍ ହିତାଧିକାରୀଙ୍କ ପାଖରେ ଯେଭଳି ରାସନ ପହଞ୍ଚିବ ତାହା ନିଶ୍ଚିତ କରିବା ଲାଗି ସାରା ଦେଶରେ ୫.୩୩ ଲକ୍ଷ ଇ-ପିଓଏସ୍‌ ମୂତୟନ କରାଯାଇଛି। ପ୍ରାୟ ୯୮ ପ୍ରତିଶତ ରାସନ ଆଧାରଭିତ୍ତିକ ପ୍ରମାଣୀକରଣ ଜରିଆରେ ଦିଆଯାଉଛି। ଇ-କେୱାଇସି ଜରିଆରେ ୬୪% ହିତାଧିକାରୀଙ୍କ କାର୍ଡର ବୈଧତା ଯାଞ୍ଚ ହୋଇଛି। ଅନ୍ୟ କାର୍ଡଗୁଡ଼ିକର ବୈଧତା ଯାଞ୍ଚ ଜାରି ରହିଛି।