ନୂଆଦିଲ୍ଲୀ: ଇରାନରେ ଫସିଥିବା ୫୮ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭାରତ ଅଣାଯାଇଛି।  ଇରାନର ରାଜଧାନୀ ତେହେରାନରୁ ଏମାନଙ୍କୁ ଧରି ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ଆଇଏଏଫ୍‌ ସି-୧୭ ଗ୍ଲୋବାମାଷ୍ଟର ଗାଜିଆବାଦସ୍ଥିତ ଭାରତୀୟ ବାୟୁସେନାର ହିଣ୍ଡନ୍ ଏୟାରବେସରେ ଅବତରଣ କରିଛି। ଟୁଇଟ୍ କରି ଆଜି ଏହି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର।

Advertisment

ଗତକାଲି ରାତି ୮ଟାରେ ଇରାନ୍ ଅଭିମୁଖେ ବାହାରିଥିଲା ଏହି ସ୍ବତନ୍ତ୍ର ବିମାନ। ଏହି ସାମରିକ ପରିବହନ ବିମାନ ସି-୧୭ ଗ୍ଲୋବାମାଷ୍ଟରକୁ କରୋନାଭାଇରସ୍‌ ପ୍ରଭାବିତ ଇରାନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟବହାର କରାଯାଇଛି। ପ୍ରଥମ ଦଫାରେ ୫୮ ଜଣଙ୍କୁ ଅଣାଯାଇଛି। ପୁଣି ଥରେ ବିମାନ ପଠାଇ ଅବଶିଷ୍ଟ ଭାରତୀୟଙ୍କୁ ଭାରତ ଅଣାଯିବାର ଯୋଜନା ରହିଛି।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ଗଣମାଧ୍ୟମକୁ କହିଥିଲେ ଯେ, ଭାରତ ସରକାର ଇରାନକୁ ବିଶେଷଜ୍ଞ ଓ ମୋବାଇଲ୍‌ ଲାବୋରେଟୋରୀ ପଠାଇଛନ୍ତି। ଏହି ବିଶେଷଜ୍ଞମାନେ କାମ ଆରମ୍ଭ କରିବା ପାଇଁ କଷ୍ଟମ୍‌ କ୍ଲିୟରାନ୍‌ସକୁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ, ଆମେ ସେଠାରୁ ନମୁନା ଆଣିଛୁ ଏବଂ ଯେତେବେଳେ ସେହି ନମୁନାର ରିପୋର୍ଟ ନେଗେଟିଭ୍‌ ଆସିବ, ଆମେ ସେମାନଙ୍କୁ (ଇରାନରେ ଥିବା ଭାରତୀୟ) ଫେରାଇ ଆଣିବୁ ବୋଲି ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଥିଲେ। ଦେଶରେ କରୋନାଭାଇରସ୍‌ ସଂକ୍ରମଣ ଭୟରେ ଇରାନ ପ୍ରାୟ ୭୦,୦୦୦ କଏଦୀଙ୍କୁ ମୁକ୍ତ କରିଛି ବୋଲି ଇରାନର ନ୍ୟାୟପାଳିକା ମୁଖ୍ୟ ଇବ୍ରାହିମ ରାଇସି ସୋମବାର କହିଛନ୍ତି।

ତେଣେ ଭାରତରେ କରୋନାଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଏଯାବତ ବିଶ୍ୱରେ କରୋନାଭାଇରସ୍‌ ଜନିତ ମୃତ୍ୟୁ ସଂଖ୍ୟା ୪୦୦୦ ହୋଇସାରିଥିବା ବେଳେ ୧୧୩,୦୦୦ ଜଣ ସଂକ୍ରମିତ ଥିବା ଜଣାପଡ଼ିଛି। ମଙ୍ଗଳବାର ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ଏହି ଭାଇରସ୍‌ ଏବେ ୧୦୦ଟି ଦେଶକୁ ବ୍ୟାପି ଯାଇଛି। ତେବେ କରୋନାଭାଇରସ୍‌ରେ ମୃତକଙ୍କ ମଧ୍ୟରୁ ଅଧିକାଂଶ ଚୀନର ବୋଲି ଜଣାପଡ଼ିଛି।