୨୦୨୧ରେ ବିସ୍ଥାପିତ ୫୯% ଲୋକଙ୍କୁ କ୍ଷତିପୂରଣ ମିଳିନାହିଁ
ନୂଆଦିଲ୍ଲୀ : ହାଉସିଂ ଆଣ୍ଡ୍ ଲ୍ୟାଣ୍ଡ୍ ରାଇଟ୍ସ ନେଟ୍ୱାର୍କ (ଏଚ୍ଏଲ୍ଆର୍ଏନ୍) ନାମକ ବେସରକାରୀ ସଂଗଠନ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୧ରେ ୨,୦୭,୧୦୬ ଲୋକଙ୍କୁ ବିଭିନ୍ନ ଯୋଜନାରେ ବାସଚ୍ୟୁତ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୩,୭୫୦ ଜଣଙ୍କୁ ଗତବର୍ଷ ଏପ୍ରିଲ ଓ ମେ ମାସରେ ମହାମାରୀର ପ୍ରକୋପ ସମୟରେ ଉଚ୍ଛେଦ କରାଯାଇଥିଲା। କିନ୍ତୁ ଏମାନଙ୍କ ମଧ୍ୟରୁ ଅଦ୍ୟାବଧି ୫୯ ପ୍ରତିଶତ ଲୋକଙ୍କୁ କ୍ଷତିପୂରଣ ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟ ଅନୁସାରେ ଜଙ୍ଗଲ ଓ ପରିବେଶ ସୁରକ୍ଷା ନାଁରେ ୫୭ ପ୍ରତିଶତ ଲୋକଙ୍କୁ ବିସ୍ଥାପିତ କରାଯାଇଥିବା ବେଳେ ୨୭.୧୩ ପ୍ରତିଶତଙ୍କୁ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଏବଂ ୧୪.୩୧ ପ୍ରତିଶତଙ୍କୁ ଜବରଦଖଲ ଉଚ୍ଛେଦ ଓ ସୁନ୍ଦରୀକରଣ ପ୍ରକଳ୍ପ ପାଇଁ ହଟାଯାଇଥିଲା। ଅନ୍ୟୂନ ୧୭ଟି ରାଜ୍ୟ ଓ ତିନିଟି କେନ୍ଦ୍ରଶାସିତ ପ୍ରଦେଶରେ ଉଚ୍ଛେଦ କାର୍ଯ୍ୟ କରାଯାଇଥିଲା। ଏଚ୍ଏଲ୍ଆର୍ଏନ୍ର ନିର୍ବାହୀ ନିର୍ଦ୍ଦେଶକ ଏନାକ୍ଷୀ ଗାଙ୍ଗୁଲି କହିଛନ୍ତି ଯେ, ୧,୧୭,୬୨୩ ଜଣ ଲୋକଙ୍କୁ ପରିବେଶ ସୁରକ୍ଷା ନାଁରେ ଉଚ୍ଛେଦ କରାଯାଇଛି ଏବଂ ୯୪ ପ୍ରତିଶତ ଲୋକଙ୍କୁ ଜଙ୍ଗଲ ଜମିରୁ ବଳପୂର୍ବକ ହଟାଯାଇଛି। ଏହା ଏକ ଗୁରୁତର ପ୍ରସଙ୍ଗ, କାରଣ ଏହି ଲୋକମାନେ ଜଙ୍ଗଲ ଜମିରେ ପିଢ଼ି ପିଢ଼ି ଧରି ରହିଆସୁଥିଲେ। ତେବେ ଅନେକ ଉଚ୍ଛେଦ କୋର୍ଟ ଆଦେଶରେ କରାଯାଇଛି। ରିପୋର୍ଟ ଅନୁସାରେ ଜାନୁଆରି ୧, ୨୦୨୧ରୁ ଜୁଲାଇ ୧୫, ୨୦୨୨ ମଧ୍ୟରେ ସରକାରୀ ସଂସ୍ଥାଗୁଡ଼ିକ ୬୨,୩୩୦ଟି ଘର ଭାଙ୍ଗିଛନ୍ତି ଏବଂ ୩,୩୧,୫୬୦ରୁ ଅଧିକ ଲୋକଙ୍କୁ ବାସଚ୍ୟୁତ କରିଛନ୍ତି। ମହାମାରୀ ସମୟରେ ଲୋକଙ୍କୁ ବାସଚ୍ୟୁତ କରିବା ଏକ ମାନବାଧିକାର ଉଲ୍ଲଂଘନ ବୋଲି ରିପୋର୍ଟରେ କୁହାଯାଇଛି। ଦଣ୍ଡମୂଳକ ପଦକ୍ଷେପ ସ୍ବରୂପ ମଧ୍ୟ ଘର ଭଙ୍ଗାଯାଇଛି। ଜବରଦଖଲ ଉଚ୍ଛେଦ ନାଁରେ ସଂଖ୍ୟାଲଘୁଙ୍କ ଘରଭଙ୍ଗା ଦ୍ବାରା ଅନେକ ମହିଳା, ଶିଶୁ, ବୃଦ୍ଧ ଓ ଭିନ୍ନକ୍ଷମ ଏହାର ଶିକାର ହୋଇଛନ୍ତି।
ରିପୋର୍ଟ ଅନୁସାରେ ୨୦୧୭ରୁ ୨୦୨୧ ମଧ୍ୟରେ ୧୯୧,୦୭୦ଟି ଘରଭଙ୍ଗା ଦ୍ବାରା ୯୮୪,୪୯୩ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରଭାବିତ ଲୋକଙ୍କ ମଧ୍ୟରେ ସଂଖ୍ୟାଲଘୁ, ଅନୁସୂଚିତ ଜାତି ଓ ଉପଜାତିର ଲୋକ ବେଶି ଅଛନ୍ତି। ଆନ୍ଧ୍ରପ୍ରଦେଶ, ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ଓଡ଼ିଶା ଓ ରାଜସ୍ଥାନରେ ଏହିସବୁ ଉଚ୍ଛେଦ ହୋଇଛି। ରିପୋର୍ଟ ଅନୁସାରେ, ଦେଶରେ ଆହୁରି ୧୫ ନିୟୁତ ଏପରି ଲୋକ ଅଛନ୍ତି, ଯେଉଁମାନେ ଯେକୌଣସି ମୁହୂର୍ତ୍ତରେ ଉଚ୍ଛେଦ ହେବା ଭୟରେ କାଳଯାପନ କରୁଛନ୍ତି। ଏମାନେ ଯଦି କୌଣସି ସରକାରୀ ନିୟମ ଭାଙ୍ଗି ଘର କରି ରହିଛନ୍ତି, ସେମାନଙ୍କ ପ୍ରତି ମାନବିକତା ଦୃଷ୍ଟିକୋଣରୁ ସରକାର କ୍ଷମାଶୀଳ ହେବା ଓ କ୍ଷମା ନୀତି ଆପଣେଇବାର ଆବଶ୍ୟକତା ଅଛି। ଯଦି ବାସଚ୍ୟୁତ କରିବାକୁ ସରକାର ବାଧ୍ୟ ହୁଅନ୍ତି, ତେବେ ସେମାନଙ୍କୁ ସଂଗେସଂଗେ କ୍ଷତିପୂରଣ ଦେବା ଓ ଅନ୍ୟତ୍ର ଥଇଥାନ କରିବା ଆବଶ୍ୟକ।