ପାଟନା : ବିହାରରେ ଏନ୍ସେଫାଇଲାଇଟିସ୍ ରୋକିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଂଜରେ ପରିଣତ ହୋଇଛି। ରାଜ୍ୟରେ ଏଇଏସ୍ (ଆକ୍ୟୁଟ୍ ଏନସେଫାଲାଇଟିସ୍ ସିଣ୍ଡ୍ରୋମ୍) ଜନିତ ମୃତ୍ୟୁ ସଂଖ୍ୟା ଏବେ ୮୩ ଛୁଇଁଛି। ଏହି ସଂକ୍ରମଣ ଯୋଗୁଁ ମୁଜାଫରପୁର ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ୫ ଦିନରେ ୮୩ ଶିଶୁଙ୍କ ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ଗତକାଲି ଏସ୍କେଏମ୍ସିଏଚ୍ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କେଜ୍ରିୱାଲ୍ ହସ୍ପିଟାଲ୍ରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ବୈଶାଳୀରେ ପୁଣି ୧୦ ଜଣ ଶିଶୁ ଏବେ ଏନ୍ସେଫାଲାଇଟିସ୍ରେ ପୀଡ଼ିତ ଥିବା ଜଣାପଡ଼ିଛି। ବିହାର ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ସଂଜୟ କୁମାରଙ୍କ କହିବା ଅନୁଯାୟୀ ଏହି ରୋଗ ୧୨ ଜିଲ୍ଲାର ୨୨୨ ବ୍ଲକ୍କୁ ପ୍ରଭାବିତ କରିଛି। ବିଶେଷ କରି ମୁଜାଫରପୁର , ବୈଶାଳି, ସେଓହର ଏବଂ ପୂର୍ବ ଚମ୍ପାରନ୍ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳ ପାଣ୍ଡେ ଗତକାଲି ଏସ୍କେଏମ୍ସିଏମ୍ ଡାକ୍ତରଖାନା ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଡାକ୍ତରଖାନାରେ ଏଇଏସ୍ ହେତୁ ସବୁଠୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି।
ଜୁନ୍ ୧ ତାରିଖରୁ ଏସକେଏମ୍ସିଏଚ୍ ଏବଂ କେଜ୍ରିୱାଲ୍ ହସ୍ପିଟାଲ୍ରେ ଯଥାକ୍ରମେ ୧୧୭୮ ଏବଂ ୭୨ ଜଣ ଶିଶୁଙ୍କୁ ଏନ୍ସେଫାଲାଇଟିସ୍ ସନ୍ଦେହରେ ଭର୍ତ୍ତି କରାଯାଇଛି। ଏସ୍କେଏମ୍ସିଏଚ୍ରେ ଏବେ ୯ ଜଣ ଶିଶୁ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଅନ୍ୟପକ୍ଷେ କେଜ୍ରିୱାଲ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଥିବା ୫ ଜଣ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ଅଛି। ଏସ୍କେଏମ୍ସିଏଚ୍ରେ ଆହୁରି ଅଧିକ ୧୦୦ ନୂଆ ବେଡ୍ ବ୍ୟବସ୍ଥା କରିବା ଯୋଜନା ହୋଇଛି ଏବଂ ଆମ୍ବୁଲାନ୍ସ ମଧ୍ୟ ବୃଦ୍ଧି କରାଯାଇଛି।