ଶେଷ ହେଲା ୫ଜି ସ୍ପେକ୍ଟ୍ରମ୍ ନିଲାମ, ସରକାର ପାଇବେ ୧,୫୦,୧୭୩ କୋଟି

ନୂଆଦିଲ୍ଲୀ : ସାତ ଦିନ ଚାଲିବା ପରେ ଶେଷ ହୋଇଛି ୫ଜି ସ୍ପେକ୍ଟ୍ରମ ନିଲାମ । ଗତ ଶୁକ୍ରବାର ଦିନ ସୁଦ୍ଧା ଗୋଟିଏ ସର୍କଲକୁ ଛାଡ଼ି ଅନ୍ୟ ସମସ୍ତ ସର୍କଲ ପାଇଁ ନିଲାମ ଶେଷ ହୋଇଯାଇଥିଲା । କିନ୍ତୁ କେବଳ ୟୁପି (ପୂର୍ବ) ସର୍କଲ ପାଇଁ ନିଲାମ ତୀବ୍ର ପ୍ରତିଦ୍ବନ୍ଦିତାମୂଳକ ହେବା ସହ ଜାରି ରହିଥିଲା । ଶେଷରେ ଏହା ସୋମବାରଦିନ ଶେଷ ହୋଇଛି ।  ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ । ୟୁପି(ପୂର୍ବ) ସର୍କଲରେ ୧୮୦୦ ମେଗାହଜ୍ ସ୍ପେକ୍ଟ୍ରମ ପାଇଁ ରିଲାଏନ୍ସ ଜିଓ ଓ ଭାରତୀ ଏୟାରଟେଲ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦିତା ଚାଲିଥିଲା ।

୫-ଜି ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରିଥିଲା । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରିଥିଲା ।

ଜୁଲାଇ ୨୬ରୁ ଆରମ୍ଭ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ମୋଟ ୭୨ ଗିଗାହଜ୍ ସ୍ପେକ୍ଟ୍ରମ ନିଲାମ ହୋଇଛି । ଆସନ୍ତା ୨୦ ବର୍ଷ ପାଇଁ ଏସବୁ ସ୍ପେକ୍ଟ୍ରମ ନିଲାମ ହୋଇଛି । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ଟେଲିକମ କମ୍ପାନିମାନଙ୍କୁ ସ୍ପେକ୍ଟ୍ରମ ଆବଣ୍ଟନ ହେବ । ଅଗଷ୍ଟ ମାସରେ ହିଁ କେତେକ କମ୍ପାନି ସେବା ଆରମ୍ଭ କରିପାରନ୍ତି ।

ସମ୍ବନ୍ଧିତ ଖବର