ରାଷ୍ଟ୍ରପତିଙ୍କ ଗାଁରେ ଆଜିଠୁ ୫ଜି, ପାହାଡ଼ପୁର ସ୍କୁଲ୍‌ ପିଲାଙ୍କ ସହିତ କଥାହେବେ ମୋଦୀ

ଭୁବନେଶ୍ବର : ଭାରତରେ ଆଜିଠାରୁ ଆରମ୍ଭ ହେବ ୫ଜି ଯୁଗ। ଲୋକମାନେ ମୋବାଇଲ୍‌ରେ ହାଇ-ସ୍ପିଡ୍‌ ଇଣ୍ଟରନେଟ୍‌ର ଅନନ୍ୟ ଅନୁଭୂତି ହାସଲ କରିବା ସୁଯୋଗ ପାଇବେ। ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ଇଣ୍ଡିଆ ମୋବାଇଲ୍‌ କଂଗ୍ରେସରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫ଜି ସେବାର ଶୁଭାରମ୍ଭ କରିବେ। ଦେଶର ଯେଉଁ କେତେକ ସ୍ଥାନରେ ୫ଜି ସେବା ଆରମ୍ଭ ହେବ ସେଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରର ନାମ ରହିଛି।

ଶ୍ରୀମତୀ ମୁର୍ମୁଙ୍କ ସ୍କୁଲ ଏସ୍‌ଏଲ୍‌ଏସ୍‌ ସ୍ମାରକୀ ଆବାସିକ ବିଦ୍ୟାଳୟରେ ରିଲାଏନ୍ସ ଜିଓ ଦ୍ବାରା ୫ଜି ସେବାର ଲାଇଭ୍‌ ପ୍ରଦର୍ଶନ କରାଯିବ। ଭାରତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କିଛି ହାତଗଣତି ପ୍ରମୁଖ ସହରରେ ୫ଜି ସେବା ଆରମ୍ଭ ହେବ। ଏହା ପରେ ପର୍ଯ୍ୟାୟକ୍ରମେ ଆସନ୍ତା ଦୁଇ ବର୍ଷ ଭିତରେ ଏହି ସେବା ‌ସାରା ଦେଶରେ ପହଞ୍ଚିବ। କେଉଁ କଂପାନିର ୫ଜି ସେବା ଆସନ୍ତାକାଲିଠାରୁ ଆରମ୍ଭ ହେବ ତାହା ସ୍ପଷ୍ଟ କରାଯାଇନଥିଲେ ମଧ୍ୟ ରିଲାଏନ୍ସ ଜିଓର ସେବା ମିଳିବ ବୋଲି ଅନୁମାନ କରାଯାଉଛି। ୫ଜି ‌ସେବା ଆରମ୍ଭ ହୋଇଥିବାରୁ ଚୀନ୍, ଆମେରିକା, ଫିଲିପାଇନ୍ସ, ଦକ୍ଷିଣ କୋରିଆ, କାନାଡା, ସ୍ପେନ୍, ଇଟାଲି, ଜର୍ମାନି ଓ ବ୍ରିଟେନ୍‌ ଭଳି ୫ଜି ସେବା ମିଳୁଥିବା ଦେଶ ତାଲିକାରେ ଭାରତ ସ୍ଥାନ ପାଇବ।

ସମ୍ବନ୍ଧିତ ଖବର