ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆନୁଷ୍ଠାନିକ ଭାବେ ଭାରତରେ ୫ଜି ଲଞ୍ଚ କରିଛନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ୫ଜି ସେବା ସମଗ୍ର ଭାରତରେ ଆରମ୍ଭ ହେବ। ରିଲାଏନ୍ସ ଜିଓ ପରେ ଏୟାରଟେଲ ମଧ୍ୟ ଖୁବ୍ ଶୀଘ୍ର ସାରା ଦେଶରେ ୫ଜି ସେବା ଆରମ୍ଭ କରିବ ବୋଲି କହିଛି। ଭାରତରେ ୫ଜି ଇଣ୍ଟରନେଟ୍ ସ୍ପିଡ୍ ବଢ଼ାଇବା ସହ ନିର୍ଭରଯୋଗ୍ୟ ସଂଯୋଗ ଭଳି ବୈଶିଷ୍ଟ୍ୟ ପ୍ରଦାନ କରିବ। ଏପରି ପରିସ୍ଥିତିରେ, ଅନେକ ଲୋକ ୪ଜି ସିମ୍ କାର୍ଡ ବ୍ୟବହାର ହୋଇପାରିବ କି ନାହିଁ? ୪ଜି ଫୋନ ବ୍ୟବହାର ହୋଇପାରିବ କି ନାହିଁ? ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଆଜି ଆମେ ଏହାର ଉତ୍ତର ଆପଣଙ୍କୁ ଦେବୁ।
୫ଜି ଲଞ୍ଚ ହୋଇଥିଲେ ବି ଏବେ ୨ବର୍ଷ ପର୍ଯ୍ୟନ୍ତ ଆପଣ ୪ଜି ସିମ ବ୍ୟବହାର କରିପାରିବେ। ୫ଜିର ଆସିବା ସତ୍ତ୍ବେ ୪ଜି ଏଲଟିଇ ଭାରତର ଟେଲିକମ୍ ଭିତ୍ତିଭୂମିର ମେରୁଦଣ୍ଡ ହୋଇ ରହିବ। ଆଗାମୀ ଦୁଇ ବର୍ଷରେ ଏୟାରଟେଲ ଏବଂ ଜିଓ ପରି ଟେଲିକମ୍ ଅପରେଟରମାନେ ସେମାନଙ୍କର ୫ଜି ନେଟୱାର୍କକୁ ଯଥାସମ୍ଭବ ବିସ୍ତାର କରିବେ। ସେପର୍ଯ୍ୟନ୍ତ, ଆପଣଙ୍କର ୪ଜି ସିମ୍ କାର୍ଡ ଠିକ ଭାବରେ କାର୍ଯ୍ୟ ଜାରି ରଖିବ। ପ୍ରଥମେ ପ୍ରଥମେ ୫ଜି ୪ଜି ଭଳି ସହଜରେ ଉପଲବ୍ଧ ହେବ ନାହିଁ। ୫ଜିକୁ କେବଳ କିଛି ସହରର ଲୋକ ବ୍ୟବହାର କରିପାରିବେ। ତେଣୁ, ଆପଣ କେବଳ କିଛି କ୍ଷେତ୍ରରେ ୫ଜି ସ୍ପିଡ୍ ପାଇବେ।
ଏୟାରଟେଲ କହିଛି ଯେ, ୪ଜି ସିମ୍ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ନିଜ ଅଞ୍ଚଳରେ ୫ଜି ସେବା ସକ୍ରିୟ ହେବା ପରେ ସିମ୍ କାର୍ଡ ପରିବର୍ତ୍ତନ ନକରି ୫ଜି ସେବା ବ୍ୟବହାର କରିପାରିବେ। ସେଥିପାଇଁ ଆପଣଙ୍କୁ ଆପଣଙ୍କ ୪ଜି ସିମ୍ କାର୍ଡକୁ ଆଦୌ ଫିଙ୍ଗିବାର ଆବଶ୍ୟକତା ନୁହେଁ। ଏୟାରଟେଲ ସ୍ପଷ୍ଟୀକରଣ ଦେଇଥିଲେ ବି ଜିଓ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ଦେଇନାହିଁ।
ଅନ୍ୟପକ୍ଷରେ ଯଦି ଆପଣ ଏକ ୪ଜି ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି, ତେବେ ୫ଜି ସେବା ପାଇବା ପାଇଁ ଏହାକୁ ଫିଙ୍ଗିବାର ଆବଶ୍ୟକତା ନାହିଁ। ଆଗାମୀ କିଛି ବର୍ଷ ପାଇଁ ଆପଣ ଏହାକୁ ବ୍ୟବହାର କରିପାରିବେ। ଆପଣଙ୍କ ୪ଜି ସ୍ମାର୍ଟଫୋନ୍ ଆଜି ପରି କାମ କରିବା ଜାରି ରଖିବ।