ଭାରତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଅକ୍ଟୋବର ୧ରେ ଲଞ୍ଚ ହେବ ୫ଜି ସେବା

ନୂଆଦିଲ୍ଲୀ: ଅକ୍ଟୋବର ୧ରୁ ଭାରତରେ ଆରମ୍ଭ ହେବ ୫ଜି ସେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ରେ ୫ଜି ସେବା ଆରମ୍ଭ କରିବେ। ପ୍ରଗତି ମଇଦାନରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ ମୋବାଇଲ୍ କଂଗ୍ରେସ’ ପ୍ରଦର୍ଶନୀ ଅକ୍ଟୋବର ୧ରୁ  ଆରମ୍ଭ ହୋଇ ଅକ୍ଟୋବର ୪ପର୍ଯ୍ୟନ୍ତ ଚାଲିବ। ସରକାରଙ୍କ ଜାତୀୟ ବ୍ରଡବ୍ୟାଣ୍ଡ ମିଶନ ଆଜି ଏବିଷୟରେ ଟ୍ୱିଟ କରି ଜଣାଇଛି।

ଏସିଆର ସର୍ବବୃହତ ଟେଲିକମ୍, ମିଡିଆ ଏବଂ ଟେକ୍ନୋଲୋଜି ଫୋରମ୍ ବୋଲି ଦାବି କରାଯାଉଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସ (ଆଇଏମସି) ପ୍ରଦର୍ଶନୀ , ଟେଲିକମ୍ ବିଭାଗ (ଡିଓଟି) ଏବଂ ସେଲୁଲାର୍ ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ସିଓଏଆଇ) ଦ୍ବାରା ମିଳିତ ଭାବେ ଆୟୋଜିତ କରାଯାଉଛି। ତେବେ ସ୍ୱଳ୍ପ ସମୟ ମଧ୍ୟରେ ଦେଶରେ ୫ଜି ଟେଲିକମ୍ ସେବାକୁ ୮୦ପ୍ରତିଶତ କଭରେଜ କରିବାକୁ ସରକାର ଟାର୍ଗେଟ ଦେଇଛନ୍ତି ବୋଲି କେନ୍ଦ୍ର ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ସପ୍ତାହରେ କହିଥିଲେ।

ଏହା ପୂର୍ବରୁ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୫ଜି ଟେଲିଫୋନ ସେବା ଆରମ୍ଭ ହେବ ବୋଲି କହିଥିଲେ ଅଶ୍ୱିନୀ ବୈଷ୍ଣବ । ପୂର୍ବରୁ ଦେଶରେ ୧୩ଟି
ସହରରେ ୫ଜି ସେବା ଆରମ୍ଭ ହେବ ବୋଲି କୁହାଯାଇଥିଲା। ତେବେ ସେଥିରେ ସ୍ମାର୍ଟସିଟି ଭୁବନେଶ୍ବର କିମ୍ବା ଓଡ଼ିଶାର ଅନ୍ୟ କୌଣସି ସହର ସ୍ଥାନ ପାଇ ନଥିଲା। କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିଲେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ୫ଜି ସେବା ନମିଳିବା ଖବର ଅନେକଙ୍କୁ ଚକିତ କରିଥିଲା। କିନ୍ତୁ ପ‌ରେ ଅଶ୍ୱିନୀ ବୈଷ୍ଣବ ସ୍ପଷ୍ଟ କରିଥିଲେ ଯେ, ଦେଶରେ ଖୁବଶୀଘ୍ର ୫ଜି ସେବା ଆରମ୍ଭ ହେବ। ଏଥିସହିତ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ମଧ୍ୟ ଏହି ସେବା ଉପଲବ୍ଧ ହେବ। ଦେଶରେ ଖୁବଶୀଘ୍ର ‌୫ଜି ସେବା ଆରମ୍ଭ କରିବା ଲାଗି ଦୂରସଂଚାର ବିଭାଗ ତ୍ବରିତ ବେଗରେ କାର୍ଯ୍ୟ କରୁଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର