ନୂଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୭ଟି ରାଜ୍ୟର ୫୧ଟି ଲୋକସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ସୋମବାର ଦିନ ଭୋଟ୍ ଗ୍ରହଣ ହେବ। ଏଥିରେ ଉତ୍ତରପ୍ରଦେଶର ୧୪ଟି ଲୋକସଭା ନିର୍ବାଚନ ମଣ୍ଡଳି ଥିବା ବେଳେ ରାଜସ୍ଥାନର ୧୨ଟି, ମଧ୍ୟପ୍ରଦେଶର ୫, ପଶ୍ଚିମବଂଗର ୭, ବିହାରର ୫ ଏବଂ ଝାଡ଼ଖଣ୍ଡର ୪ ଆସନ ରହିଛି। ଏହା ସହିତ ଜମ୍ମୁ କଶ୍ମୀରର ଅନନ୍ତନାଗ ନିର୍ବାଚନ ମଣ୍ଡଳିର ପୁଲୱାମା ଏବଂ ସୋପିଆନ ଏବଂ ଲଦାଖ ଆସନ ପାଇଁ ମଧ୍ୟ ଭୋଟ୍ ଗ୍ରହଣ ହେବ। ଜମ୍ମୁ କଶ୍ମୀରରେ ମତଦାନ ହେବାକୁ ଥିବା ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଆଜି ପ୍ରଚାରର ଶେଷ ଦିବସରେ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଏବଂ ବିହାରରେ ନିର୍ବାଚନୀ ରୢାଲିରେ ଉଦ୍ବୋଧନ ଦେଇଛନ୍ତି। ଅନ୍ୟପଟେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଏନ୍ଡିଏ ସରକାରକୁ କଡ଼ା ସମାଲୋଚନା କରି ବେକାରୀ ଏବଂ କୃଷି ସଙ୍କଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭୁଲ୍ ନୀତି ଦାୟୀ ବୋଲି କହିଛନ୍ତି।
ପଂଚମ ପର୍ଯ୍ୟାୟରେ ଭିଭିଆଇପି ଆସନଗୁଡ଼ିକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଏଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନି, ରାଜୀବ ପ୍ରତାପ ରୁଡ୍ଡି, ପୁନମ ସିହ୍ନା ପ୍ରମୁଖଙ୍କ ଭାଗ୍ୟ ଫଏସଲା ହେବ। ଆଜି ସ୍ମୃତି ଇରାନିଙ୍କ ପାଇଁ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆମେଥିରେ ପ୍ରଚାର କରିଥିବା ବେଳେ ଏଠାରେ ରାହୁଲଙ୍କ ପାଇଁ ପ୍ରିୟଙ୍କା ଗାନ୍ଧୀ ପ୍ରଚାର କରିଥିଲେ। ରାଜସ୍ଥାନରେ ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ବିଜେପି ପ୍ରାର୍ଥୀଙ୍କ ପାଇଁ ୨ଟି ଆସନରେ ପ୍ରଚାର କରିଛନ୍ତି। ଦେଶରୁ ଦାରିଦ୍ରୢ ହଟାଇବା ନେଇ କଂଗ୍ରେସର ନୀତି ସର୍ବଦା ଛଳନାପୂର୍ଣ୍ଣ ଏବଂ ବିଭ୍ରାନ୍ତିକର ରହିଛି ବୋଲି ଗଡ଼କରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/election-f.jpg)