ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟଗ୍ରହଣ ଶେଷ, ୭୮.୩୬% ମତଦାନ

କୋଲକାତା : ପଶ୍ଚିମବଙ୍ଗରେ ୫ମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ପ୍ରାୟ ୭୮.୩୬ ପ୍ରତିଶତ ମତଦାନ ହୋଇଛି ବୋଲି ନିର୍ବାଚନ ଆୟୋଗ ସୁତ୍ରରୁ ଜଣାପଡ଼ିଛି ।

୫ମ ପର୍ଯ୍ୟାୟରେ ୪୫ଟି ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା । ୬ଟି ଜିଲ୍ଲା ଜଲପାଇଗୁଡ଼ି, କାଲିମ୍ପଙ୍ଗ, ଡାର୍ଜିଲିଂ, ନଦିଆ, ଉତ୍ତର ୨୪ ଫଗଣା ଓ ଉତ୍ତର ବର୍ଦ୍ଧମାନ ଜିଲ୍ଲାରେ ଏସବୁ ନିର୍ବାଚନ ମଣ୍ଡଳୀ ଗୁଡ଼ିକ ଅବସ୍ଥିତ । ଏହି ପର୍ଯ୍ୟାୟରେ ମୋଟ ୩୧୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିଲେ । ସେମାନଙ୍କ ମଧ୍ୟରୁ ୩୯ ଜଣ ମହିଳା ଅଛନ୍ତି ।

ଅନ୍ୟ ପର୍ଯ୍ୟାୟଗୁଡ଼ିକ ପରି ୫ମ ପର୍ଯ୍ୟାୟରେ ମଧ୍ୟ କେତେକ ସ୍ଥାନରେ ହିଂସାକାଣ୍ଡ ଦେଖାଦେଇଥିବା ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି । ଉତ୍ତର ୨୪ ଫଗଣାରେ ଜଣେ ବିଜେପି ପ୍ରାର୍ଥୀ ରାଜୁ ବାନାର୍ଜୀଙ୍କ ଶୋଭାଯାତ୍ରା ଉପରେ ଆକ୍ରମଣ ହୋଇଥିଲା । ତାଙ୍କ ଉପରକୁ ପଥର ଓ ବୋମା ଦ୍ବାରା ଆକ୍ରମଣ ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ ଦେଗଙ୍ଗା ଆସନର କେତେକ ଲୋକ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ରୀୟ ବାହିନୀ ପକ୍ଷରୁ ଫାଙ୍କା ଗୁଳିଚାଳନା କରାଯାଇଥିଲା । ତେବେ ପୁଲିସ ଏହାକୁ ଖଣ୍ଡନ କରିଛି ।

ସମ୍ବନ୍ଧିତ ଖବର