ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ମତଦାନ ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବ। ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏଥିପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସୋମବାର ସକାଳ ୭ଟାରେ ମତଦାନ କେନ୍ଦ୍ର ଖୋଲିବ ଏବଂ ସନ୍ଧ୍ୟା ୬ଟାରେ ବନ୍ଦ ହେବ। ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି, ମହାରାଷ୍ଟ୍ରର ୧୩ଟି, ପଶ୍ଚିମବଙ୍ଗର ୭ଟି, ବିହାର ଓ ଓଡ଼ିଶାର ୫ଟି ଲେଖାଏଁ, ଝାଡ଼ଖଣ୍ଡର ୩ଟି ଏବଂ ଜମ୍ମୁ-କଶ୍ମୀର ଓ ଲଦାଖର ଗୋଟିଏ ଲେଖାଏଁ ଆସନରେ ମତଦାନ ହେବ। ନିର୍ବାଚନ ଆୟୋଗଙ୍କ ସୂଚନା ଅନୁଯାୟୀ, ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୬୯୫ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଆସନ୍ତାକାଲି ଉତ୍ତରପ୍ରଦେଶରେ ଅନେକ ହାଇପ୍ରୋଫାଇଲ୍ ପ୍ରାର୍ଥୀଙ୍କ ସମ୍ମାନ ବାଜିରେ ଲାଗିବ। ପଞ୍ଚମ ପର୍ଯ୍ୟାୟରେ ମୋହନଲାଲଗଞ୍ଜ, ଲକ୍ଷ୍ନୌ, ରାଏବରେଲି, ଆମେଥି, ଜାଲୌନ, ଝାନ୍ସି, ହମିରପୁର, ବାନ୍ଦା, ଫତେପୁର, କୌଶାମ୍ବି, ବାରବାଙ୍କି, ଫୈଜାବାଦ, କୈସରଗଞ୍ଜ ଓ ଗୋଣ୍ଡା ସମେତ ୧୪ଟି ଲୋକସଭା ଆସନରେ ମତଦାନ ହେବ। ୨୦୧୯ରେ ୟୁପିର ଏହି ପର୍ଯ୍ୟାୟରେ ବିଜେପି ୧୪ଟି ଆସନରୁ ୧୩ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କେବଳ ରାୟବରେଲି ଆସନରେ ବିଜୟୀ ହୋଇଥିଲା।
କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତୃତୀୟ ଥର ପାଇଁ ଲକ୍ଷ୍ନୌରୁ ନିର୍ବାଚନ ଲଢୁଛନ୍ତି। ଏକ ଶକ୍ତିଶାଳୀ ଦଳୀୟ ସଂଗଠନ ସମର୍ଥିତ ରାଜନାଥ ସୁରକ୍ଷିତ ସ୍ଥିତିରେ ଅଛନ୍ତି ଏବଂ ତାଙ୍କ ବିପକ୍ଷରେ ସପାର ରବିଦାସ ମେହରୋତ୍ରା ଏବଂ ବିଏସ୍ପିର ସରୱାର ମଲ୍ଲିକ ତୁଳନାତ୍ମକ ଭାବେ ଦୁର୍ବଳ ବୋଲି କୁହାଯାଉଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଆମେଥିରେ କଂଗ୍ରେସର କେଏଲ୍ ଶର୍ମାଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି।
ଆମେଥିରୁ ଦ୍ବିତୀୟ ଥର ପାଇଁ ଲଢ଼ୁଥିବା ଇରାନୀଙ୍କ ପାଇଁ ଶର୍ମାଙ୍କୁ ସାମାନ୍ୟ ବିପଦ ଭାବେ ବିବେଚନା କରାଯାଉଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ପଞ୍ଚମ ପର୍ଯ୍ୟାୟରେ ରାଏବରେଲିରୁ ନିର୍ବାଚନ ଲଢୁଛନ୍ତି ଏବଂ ତାଙ୍କ ମୁକାବିଲା ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହଙ୍କ ସହ ହେଉଛି। ଗାନ୍ଧୀ ପରିବାର ପାଇଁ ରାୟବରେଲି ହେଉଛି ଦ୍ୱିତୀୟ ଗଡ଼। ପଞ୍ଚମ ପର୍ଯ୍ୟାୟରେ ଆଉ ଏକ ହାଇପ୍ରୋଫାଇଲ୍ ଆସନ ହେଉଛି କୈସରଗଞ୍ଜ, ଯେଉଁଠାରେ ବର୍ତ୍ତମାନର ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ)ର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ବଦଳରେ ତାଙ୍କ ପୁଅ କରଣ ଭୂଷଣ ସିଂହଙ୍କୁ ବିଜେପି ଟିକେଟ୍ ଦେଇଛି। କରଣ ଭୂଷଣଙ୍କ ବିପକ୍ଷରେ ସପାର ଭଗତରାମ ମିଶ୍ର ଏବଂ ବିଏସ୍ପିର ନରେନ୍ଦ୍ର ପାଣ୍ଡେ ଲଢ଼ୁଛନ୍ତି। ପଞ୍ଚମ ପର୍ଯ୍ୟାୟରେ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପୀୟୂଷ ଗୋୟଲଙ୍କର ମଧ୍ୟ ଭାଗ୍ୟ ପରୀକ୍ଷା ହେବ। ସେ ମୁମ୍ବାଇ ଉତ୍ତର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ଚିରାଗ ପାଶୱାନ (ଏଲଜେପି) ହାଜିପୁର, ବିହାରରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ରାଜୀବ ପ୍ରତାପ ରୁଡି ବିହାରର ଶରଣ ଅସନରୁ ପ୍ରାର୍ଥୀ ହୋଇଛନ୍ତି। ଏହି ଦୁଇ ଆସନରେ ମଧ୍ୟ ଆସନ୍ତାକାଲି ଭୋଟ୍ ଗ୍ରହଣ ହେବ।