ବେଜିଂ: ଉତ୍ତର-ପଶ୍ଚିମ ଚୀନ୍ର ଏକ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରି ପୂର୍ବରୁ ୬.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ଫଳରେ ଅତି କମ୍ରେ ୧୨୭ ଜଣ ଲୋକଙ୍କ ମୃତ୍ୟୁ ଘଟିବା ସହ ପ୍ରାୟ ୪୦୦ ଜଣ ଆହତ ହୋଇଛନ୍ତି। ଚୀନ୍ ଭୂକମ୍ପ ନେଟୱର୍କ ସେଣ୍ଟର (ସିଇଏନ୍ସି) ଅନୁଯାୟୀ, ସୋମବାର ରାତି ୧୧ଟା ୫୯ ମିନିଟରେ ଗଂସୁ ଓ କିଙ୍ଗହାଇ ପ୍ରଦେଶରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା।
ସରକାରୀ ଟେଲିଭିଜନ ସିସିଟିଭି କହିଛି ଯେ, ପ୍ରାଥମିକ ତଥ୍ୟ ଅନୁଯାୟୀ ଏହି ଭୂମିକମ୍ପ ଏହାର କେନ୍ଦ୍ରସ୍ଥଳଠାରୁ ୨୦୦ କିଲୋମିଟର ମଧ୍ୟରେ ଅନୁଭୂତ ହୋଇଥିଲା। ଏହାର କିଛି ଘଣ୍ଟା ପରେ ପଡ଼ୋଶୀ ସିଂଜିଆଙ୍ଗ ଉଇଗୁର ସ୍ୱୟଂଶାସିତ ଅଞ୍ଚଳରେ ଦ୍ୱିତୀୟ ଭୂକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ଭୋର ହେବା ପୂର୍ବରୁ ୩.୦ କିମ୍ବା ଅଧିକ ତୀବ୍ରତାର ମୋଟ ୯ଟି ଝଟ୍କା ରେକର୍ଡ ହୋଇଥିବା ସିସିଟିଭିରେ କୁହାଯାଇଛି। ଭୂମିକମ୍ପ ପରେ କେହି ନିଖୋଜ ଅଛନ୍ତି କି ନାହିଁ ତାହା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ। ଭୂମିକମ୍ପ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଭିତ୍ତିଭୂମି ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର ଓ ଚିକିତ୍ସା କରିବା ସହ ଦ୍ବିତୀୟ ବିପର୍ଯ୍ୟୟକୁ ରୋକିବା ପାଇଁ ଭୂମିକମ୍ପ ସ୍ଥିତି ଓ ପାଣିପାଗ ପରିବର୍ତ୍ତନ ଉପରେ ତୀକ୍ଷ୍ଣ ନଜର ରଖିବାକୁ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ କହିଛନ୍ତି।