ଦେଶ ସହ ବିଶ୍ବାସଘାତକତା ! ନୌସେନାର ଗୋପନ ତଥ୍ୟ ପ୍ରଦାନ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ସଂଦିଗ୍ଧ ବ୍ୟକ୍ତିଙ୍କୁ ନୌସେନାର ଗୋପନ ସୂଚନା ପ୍ରଦାନ ଅଭିଯୋଗରେ ସିବିଆଇ ୬ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଏହି ୬ ଜଣଙ୍କ ମଧ୍ୟରେ ଭାରତୀୟ ନୌସେନାର ୨ ଜଣ ସେବାରତ ଓ ୨ ଜଣ ଅବସରପ୍ରାପ୍ତ କମାଣ୍ଡର ଅଛନ୍ତି । ଦୁର୍ନୀତି ନିବାରଣ ଆଇନ ଓ ଭାରତୀୟ ଦଣ୍ଡବିଧି ଆଇନ ଅଧିନରେ ଏହି ୬ ଜଣ ବ୍ୟକ୍ତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି ।

ସିବିଆଇ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବ୍ୟକ୍ତିମାନେ ନୌସେନାର କିଲୋ କ୍ଲାସ ବୁଡ଼ାଜାହାଜର ଏମଆରଏଲସି କାର୍ଯ୍ୟକ୍ରମ ସମ୍ପର୍କରେ କେତେକ ଅଣକ୍ଷମତାପ୍ରାପ୍ତ ବ୍ୟକ୍ତିଙ୍କୁ ତଥ୍ୟ ପ୍ରଦାନ କରୁଥିଲେ । ଗତ ସେପ୍ଟେମ୍ବର ୩ ତାରିଖରେ ସିବିଆଇ ନୌସେନାର ଦୁଇ ଅବସରପ୍ରାପ୍ତ କର୍ମଚାରୀ କମୋଡୋର ରଣଦୀପ ସିଂ ଓ ଏସଜେ ସିଂଙ୍କୁ ଗିରଫ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା । କମୋଡୋର ରଣଦୀପ ସିଂଙ୍କ ଘର ତଲାସୀ ବେଳେ ନଗଦ ୨ କୋଟି ଟଙ୍କା ମିଳିଥିଲା । ଏହି ଦୁଇଜଣଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ସିବିଆଇ ପଶ୍ଚିମାଞ୍ଚଳ ନାଭାଲ କମାଣ୍ଡରେ ଅବସ୍ଥାପିତ କମାଣ୍ଡର ଅଜିତ କୁମାର ପାଣ୍ଡେ ଓ ତାଙ୍କ ଅଧିନରେ କାର୍ଯ୍ୟରତ ଆଉ ଜଣେ କମାଣ୍ଡରଙ୍କୁ ଗିରଫ କରିଥିଲା । ଏହି ଦୁଇଜଣ ସେବାରତ କମାଣ୍ଡର ନୌସେନାର ତଥ୍ୟ ପୂର୍ବୋକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଦେଉଥିଲେ । ସେମାନେ ତଥ୍ୟକୁ ବିଦେଶୀ କମ୍ପାନିଙ୍କୁ ପ୍ରଦାନ କରୁଥିଲେ ।

ସମ୍ବନ୍ଧିତ ଖବର