ନୂଆଦିଲ୍ଲୀ : ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥିତି ଜଟିଳ ରହିଛି। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଗୁରୁବାର ହୋଇଥିବା ଭୂସ୍ଖଳନରେ ୧୧ ଜଣ ପୋତି ହୋଇ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୪ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ଅନ୍ୟ ୬ ଜଣ ଧ୍ବଂସସ୍ତୂପ ତଳେ ପୋତି ହୋଇ ରହିଛନ୍ତି ଏବଂ ସେମାନଙ୍କ ଉଦ୍ଧାର ଆଜି ରାତି ସୁଦ୍ଧା ସମ୍ଭବ ହୋଇନାହିଁ। ଉଲ୍ଲେଖଯୋଗ୍ୟ, ଗତକାଲି ହୋଇଥିବା ଭୂସ୍ଖଳନରେ ଆଖଡ଼ା ବଜାରରେ ୨ଟି ଘର ଭୁଶୁଡ଼ି ପଡ଼ିଥିଲା। ବୁଧବାର ମଧ୍ୟ ଏହି ସମାନ ଅଞ୍ଚଳରେ ଅନ୍ୟ ଏକ ଭୂସ୍ଖଳନରେ ୨ ଜଣ ପୋତି ହୋଇଯାଇଥିଲେ। ସେମାନଙ୍କର ମଧ୍ୟ କିଛି ପତ୍ତା ମିଳିନାହିଁ।
ଅନ୍ୟପକ୍ଷେ ଦିଲ୍ଲୀରେ ଯମୁନା ନଦୀ ଜଳସ୍ତର ହ୍ରାସ ପାଇଥିଲେ ବି ଦିଲ୍ଲୀ- ଏନ୍ସିଆର୍ର ଅଧିକାଂଶ ଅଞ୍ଚଳ ଜଳମଗ୍ନ ରହିଛି। ସିଡବ୍ଲ୍ୟୁସି କେନ୍ଦ୍ରୀୟ ଜଳ କମିସନ୍) ତଥ୍ୟ ଅନୁଯାୟୀ ଲଗାତାର ୨ ଦିନ ଧରି ଯମୁନା ନଦୀ ଜଳ ବିପଦ ସଙ୍କେତ ଉପରେ ରହିବାପରେ ଏବେ ଖସିଛି ଏବଂ ସ୍ଥିର ରହିଛି। ଯମୁନାର ତଳିଆ ଅଞ୍ଚଳର ଲୋକମାନେ ରିଲିଫ୍ ଶିବିରରେ ରହିଛନ୍ତି। ଏନସିଆର୍, ଗୁରୁଗ୍ରାମ ଏବଂ ଗାଜିଆବାଦର ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି।