କେନ୍ଦ୍ର ଜାରିକଲା ଦେଶର ଆବର୍ଜନାମୁକ୍ତ ସହର ତାଲିକା, ଓଡ଼ିଶାର କୌଣସି ସହର ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ମଙ୍ଗଳବାରଦିନ ତାରକା ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ତାଲିକା ଜାରି କରିଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ତାଲିକାର ଉନ୍ମୋଚନ କରିଛନ୍ତି । ମୋଟ ୧୪୧ଟି ସହର ତାରକାମାନ୍ୟତା ପାଇଛନ୍ତି ।
୬ଟି ସହରକୁ ପଞ୍ଚତାରକା ଆବର୍ଜନାମୁକ୍ତ ସହରମାନ୍ୟତା ଦିଆଯାଇଥିବାବେଳେ ୬୫ଟି ସହରକୁ ତିିନିତାରକା ଓ ୭୦ଟି ସହରକୁ ଏକତାରକା ମାନ୍ୟତା ଦିଆଯାଇଛି । କିନ୍ତୁ ଓଡ଼ିଶାର କୌଣସି ସହର ଏହି ତାଲିକାରେ ସ୍ଥାନ ପାଇନାହାନ୍ତି । ପଞ୍ଚତାରକା ମାନ୍ୟତାପ୍ରାପ୍ତ ୬ଟି ଆବର୍ଜନାମୁକ୍ତ ସହର ହେଲା ନଭି ମୁମ୍ବାଇ, ରାଜକୋଟ, ସୁରଟ, ଅମ୍ବିକାପୁର, ମହୀଶୂର ଓ ଇନ୍ଦୋର ।

ସେହିପରି ତିିନିତାରକା ମାନ୍ୟତା ପାଇଥିବା ୬୫ଟି ସହରମାନଙ୍କ ମଧ୍ୟରେ ରହିଛନ୍ତି ନୂଆଦିଲ୍ଲୀ, ବିଜୟଓ୍ୱାଡ଼ା, କର୍ନାଲ, ତିରୁପତି,ଚଣ୍ଡିଗଡ଼, ଭିଲାଇ, ଅହମଦାବାଦ ଆଦି ସହର । ସେହିପରି ଏକ ତାରକା ସହରମାନଙ୍କ ମଧ୍ୟରେ ରହିଛି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ, ଭରୋଦରା, ରୋହତକ, ଗ୍ୱାଲିୟର, ଚିରାଲା ଆଦି ସହର ।


ଏହି ରେଟିଂ ପାଇବା ପାଇଁ ମୋଟ ୧୪୩୫ଟି ସହର ଆବେଦନ କରିଥିଲେ । ମୂଲ୍ୟାଙ୍କନ ସମୟରେ ପ୍ରାୟ ୧.୧୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା ଓ ପ୍ରାୟ ୧୦ ଲକ୍ଷ ଜିଓ-ଟ୍ୟାଗ ଚିତ୍ରକୁ ବିଚାରକୁ ନିଆଯାଇଥିଲା । ପ୍ରାୟ ୧୨୧୦ ଜଣ ସର୍ଭେକାରୀ ଦେଶର ବିଭିନ୍ନ ସହରରେ ଥିବା ପ୍ରାୟ ୫୧୭୫ଟି ଆବର୍ଜନା ପ୍ରକ୍ରିୟାକରଣ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ।

ସମ୍ବନ୍ଧିତ ଖବର