ଅହମଦାବାଦ୍: କେନ୍ଦ୍ରୀୟ ଗୁଜରାଟର ଭଦୋଦରା ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ଯୋଗୁଁ ଅଣାୟତ ସ୍ଥିତି ସୃଷ୍ଟି ହୋଇଛି। ୨୪ ଘଣ୍ଟାରେ ଭଦୋଦରା ସହର ୫୦୦ ମିମି ବର୍ଷାଜଳ ଗ୍ରହଣ କରିଛି। ବର୍ଷାଜନିତ ବିପର୍ଯ୍ୟୟ ପାଇଁ ସହରରେ ୬ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ସହରର ତଳିଆ ଅଞ୍ଚଳରୁ ୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଗତକାଲିଠାରୁ ଭଦୋଦରା ବିମାନବନ୍ଦର ବନ୍ଦ ରହିଛି ଏବଂ ସହର ଦେଇ ଗତି କରୁଥିବା ଅନେକ ଟ୍ରେନ୍କୁ ବାତିଲ କରି ଦିଆଯାଇଛି। କେତେକ ଟ୍ରେନ୍ର ଦିଗ ପରିବର୍ତ୍ତନ କରାଯାଇଛି। ନଦୀ ଜଳ ଅନେକ ଅଞ୍ଚଳରେ ପଶିଯିବା ଫଳରେ ନଦୀରୁ କିଛି କୁମ୍ଭୀର ମଧ୍ୟ ଭାସି ଆସିଛନ୍ତି। ରାସ୍ତା ଉପରେ କୁମ୍ଭୀର ଭାସୁଥିବାରୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ଭଦୋଦରା ସହରରେ ଏକ ସ୍ଥାନରେ କାନ୍ଥ ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଆଜି ବର୍ଷା ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp