ଗୁରୁଗ୍ରାମ୍‌ରେ କୋଠା ଭୁଶୁଡ଼ି ୬ ମୃତ

ଗୁରୁଗ୍ରାମ୍‌: ଗୁରୁଗ୍ରାମ୍‌ର ଉଲ୍ଲାୱାସ୍‌ ଗ୍ରାମରେ ଆଜି ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିବା ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଏକାଧିକ ଶ୍ରମିକ  ଭଗ୍ନ କୋଠା ତଳେ ଫସି ରହିଛନ୍ତି। ଏନ୍‌ଡିଏଆରଏଫ୍‌ , ଏସଡିଆରଏଫ୍‌ ଏବଂ ବିଏସଫ୍‌ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଚାଲିଛି। କୋଠାଟି ଦୟାରାମ ନାମକ ଜଣେ ବ୍ୟକ୍ତିଙ୍କର ବୋଲି ଜଣାପଡ଼ିଛି। ୪ ମହଲା ବିଶିଷ୍ଟ ଏହି କୋଠାର ନିର୍ମାଣ କାର୍ଯ୍ୟ ଆଉ ମାତ୍ର କିଛି ଦିନ ପରେ ଶେଷ ହୋଇଥାନ୍ତା। ଏହା ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟିଛି। ଚତୁର୍ଥ ମହଲାର ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଏଥିରେ ନିୟୋଜିତ ଶମ୍ରିକମାନେ ହିଁ ଆଜି ପ୍ରାଣ ହରାଇଛନ୍ତି।  କିଛି ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ କୋଠାଟିକୁ ବିନା ଅନୁମତିରେ ବେଆଇନ ଭାବେ ନିର୍ମାଣ କରାଯାଇଥିଲା। ଗୁରୁଗ୍ରାମ ଡେପୁଟି କମିସନର ବିନୟ ପ୍ରତାପ ସିଂହଙ୍କ କହିବାନୁଯା‌ୟୀ ଘର ମାଲିକଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ ହୋଇଛି ଓ ଘର ମାଲିକଙ୍କୁ ଏବେ ଅଟକ ରଖି ଜେରା କରାଯାଉଛି। ତେବେ କୋଠା ଭୁଶୁଡ଼ିବାର ପ୍ରକୃତ କାରଣ କ’ଣ ସେନେଇ ତଦନ୍ତ ଚାଲିଛି। କଙ୍କ୍ରିଟ୍‌ ଖଣ୍ଡ ଏବଂ ଆଇରନ୍ ଗ୍ରିଲ୍‌ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର