ହାଇଦ୍ରାବାଦ୍: ହାଇଦ୍ରାବାଦର ନାମ୍ପାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାକୁ ସ୍ଥାନାନ୍ତର ହୋଇଛନ୍ତି। ତେବେ ତଳେ ଏକ କାର୍ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏପରି ହୋଇଛି।
ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।
ନିଆଁ ଲାଗିବା ପ୍ରଥମେ ତଳ ମହଲାରୁ ଆରମ୍ଭ ହୋଇଥିବା ବେଳ ଧୀରେ ଧୀରେ ଏହା ଅନ୍ୟ ସବୁ ମହଲାକୁ ବି ବ୍ୟାପିଗଲା। ଉପର ମହଲାରେ ବ୍ୟାପିବା ପରେ ନିଆଁ ଆହୁରି ଜୋର୍ ଜଳିଥିଲା।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ପ୍ରଥମେ ପାଣି ପକାଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ବି ହୋଇ ପାରିନଥିଲା। ଶେଷରେ ରାସାୟନିକ ପଦାର୍ଥ ଦ୍ବାରା ନିଆଁକୁ ଆୟତ୍ତ କରାଯାଛି।
ଏହି ଅଗ୍ନିକାଣ୍ଡ ପ୍ରାୟ ସକାଳ ୯.୩୫ରେ ଘଟଛି। ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳେ ଅନେକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଜଣାପଡିନାହିଁ।
ଏହାପୂର୍ବରୁ ଆଜି ହାଇଦ୍ରାବାଦର କୋଥାପେଟର ଲଲିତା ଡାକ୍ତରଖାନା ନିକଟରେ ଥିବା ଏକ ଦୋକାନରେ ଆଉ ଏକ ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।