ନୂଆଦିଲ୍ଲୀ: ଦେଶରେ ଶୀତଲହରି ଥମିବାର ନାଁ ନେଉନାହିଁ। ଜମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡର କେତେକ ଅଂଚଳରେ ବରଫପାତ ଜାରି ରହିଥିବା ବେଳେ ଦିଲ୍ଲୀ, ଉତ୍ତରପ୍ରଦେଶ, ପଂଜାବ ହରିୟାଣା ଏବଂ ରାଜସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଛି । ଜମ୍ମୁରୁ ଆରମ୍ଭ କରି ରାଜସ୍ଥାନ ପର୍ଯ୍ୟନ୍ତ ବିଭିନ୍ନ ଅଂଚଳରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରିରେ ପହଞ୍ଚିଛି। ଅସହ୍ୟ ଥଣ୍ଡାରେ ଲୋକେ ଥରୁଥିବା ବେଳେ ଆଗାମୀ ୩ ଦିନ ଧରି ଏଥିରୁ ନିସ୍ତାର ମିଳିବ ନାହିଁ ବୋଲି ପାଣିପାଗ ସୂତ୍ରରୁ ଜଣାପଡ଼ିଛି। ଗତରାତିରେ ଶ୍ରୀନଗର ତାପମାତ୍ରା ବିଯୁକ୍ତ ୬ ଡିଗ୍ରି ସେଲ୍‌ସିୟସରେ ପହଞ୍ଚିଥିଲା। ଏହି ଋତୁର ଏହା ଦ୍ବିତୀୟ ଶୀତଳତମ ରାତି ରହିଥିଲା। ଦିଲ୍ଲୀରେ ରବିବାର ସକାଳେ ତାପାମାତ୍ରା ୪.୬ ରେକର୍ଡ କରାଯାଇଥିବା ବେଳେ ଏନ୍‌ସିଆର ସମେତ ଉତ୍ତରଭାରତରେ ପ୍ରଦୂଷଣ ମଧ୍ୟ ବଢ଼ିବାରେ ଲାଗିଛି। ରବିବାର ବି ରାଜଧାନୀ ଦିଲ୍ଲୀରେ ବାୟୁ ମାନ ସୂଚକାଙ୍କ ସ୍ତର ୨୯୦ରେ ରହିଥିବା ରେକର୍ଡ କରାଯାଇଛି।

Advertisment

ଆଉ ୩ ଦିନ ପ୍ରବଳ ଶୀତ ଲହରି ଜାରି ରହିବାକୁ ଥିବାରୁ ଜନସାଧାରଣ ଏ ନେଇ ସତର୍କ ରହିବାକୁ କୁହାଯାଇଛି। ଗୁଜରାଟରେ ଆସନ୍ତା ୨ ଦିନ, ରାଜସ୍ଥାନରେ ୪ ଦିନ ଏବଂ ପଶ୍ଚିମ ଉତ୍ତରପ୍ରଦେଶରେ ତିନି ଦିନ ପ୍ରବଳ ଶୀତ ଲହରି ଅନୁଭୂତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଜାବ, ହରିୟାଣା ଓ ରାଜସ୍ଥାନ ସମେତ ଉତ୍ତର-ପଶ୍ଚିମ ଭାରତର ଅନେକ ଅଞ୍ଚଳର ତୁଷାରପାତ ଭଳି ପରିସ୍ଥିତି ଉପୁଜିଛି। ଉତ୍ତର-ପଶ୍ଚିମାଞ୍ଚଳର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଅତି ଘନ କୁହୁଡ଼ି ପଡ଼ିବା ସହ ପ୍ରବଳ ଶୀତ ଲହରି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।