ଧାନବାଦ: ଝାଡ଼ଖଣ୍ଡର ଧାନବାଦରେ ସୋମବାର ରାତିରେ ବେଆଇନ କୋଇଲା ଖନନ ସମୟରେ ବଡ ଧରଣର ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ୩ଟି ଖୋଲା କୋଇଲା ଖଣିରେ ଏକ ସମୟରେ ୩ଟି ଅତଡା ଖସିପଡିବାରୁ ୧୦ରୁ ୧୨ ଜଣ ଶ୍ରମିକ ଚାପି ହୋଇ ରହିଯାଇଛନ୍ତି। ତେବେ କେତେଜଣ ଲୋକ ଅତଡା ତଳେ ରହିଛନ୍ତି ତାହାର ସୂଚନା ସଠିକ୍ ଭାବେ ମିଳିପାରି ନାହିଁ। ବର୍ତ୍ତମାନ ସୁଦ୍ଧା ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। କିନ୍ତୁ ୫ଜଣଙ୍କ ମୃତ ଦେହ ହିଁ ମିଳି ପାରିଛି। କୁହାଯାଉଛି ଗୋଟିଏ ଶବକୁ କୋଇଲା ମାଫିଆମାନେ ନିଜ ସହିତ ନେଇ ଯାଇଛନ୍ତି। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ଗ୍ରାମବାସୀମାନେ କହିଛନ୍ତି।

Advertisment

ମଙ୍ଗଳବାର ସକାଳେ ଦୁର୍ଘଟଣା ବିଷୟରେ ଜଣା ପଡିବା ପରେ ଆଖପାଖର ଲୋକ ଘଟଣାସ୍ଥଳକୁ ପହଞ୍ଚି ଯାଇଥିଲେ। କିନ୍ତୁ କୋଇଲା ଖୋଳୁଥିବା ମାଫିଆମାନେ ସେମାନଙ୍କୁ ସେହି ଜାଗାରୁ ତଡ଼ି ଦେଇଥିଲେ। ରିପୋର୍ଟ ଅନୁସାରେ ଘଟଣା ବିଷୟରେ ଜଣା ପଡିବା ପରେ ଇସିଏଲ୍ ତରଫରୁ ଉଦ୍ଧାରକାରୀ ମେସିନ୍ ପଠା ଯାଇଥିଲା କିନ୍ତୁ ମାଫିଆମାନେ ଏହାକୁ ବି ଫେରାଇ ଦେଇଥିଲେ। ପରିସ୍ଥିତି ଉତ୍ତେଜନାପ୍ରବଣ ହେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ହିଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରା ଯାଇପାରିଲା ।

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଖଣିରେ କିଛି ଲୋକ ମୃତାହତ ହୋଇଥିବାର ସୂଚନା ମିଳିଛି। ଜିଲ୍ଲା ପ୍ରଶାସନ ହ ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଭଗବାନ ମୃତ୍ୟୁବରଣ କରିଥିବା ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଓ ପରିବାରଙ୍କୁ ଏହି ଦୁଃଖଦ ସମୟରେ ଦୁଃଖ ସହିବାକୁ ଶକ୍ତି ପ୍ରଦାନ କରନ୍ତୁ। ଆହତମାନଙ୍କୁ ସାହାଯ୍ୟ ପ୍ରଦାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି।