ନୀତି ଆୟୋଗର ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ସଫଳତାକୁ ନେଇ ସଦ୍ୟ ପ୍ରକାଶିତ ପୁସ୍ତକରେ ଓଡ଼ିଶାର ୬ ଜିଲ୍ଲାର କାହାଣୀ

ନୂଆଦିଲ୍ଲୀ: ନୀତି ଆୟୋଗଦ୍ୱାରା ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କରେ ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳସମ୍ପଦ, ଦକ୍ଷତାବିକାଶ, ଆବଶ୍ୟକୀୟ ଭତ୍ତିଭୂମି ତଥା ପ୍ରଶାସନ ଆଧାରିତ କ୍ଷେତ୍ରରେ ସଫଳ କାହାଣୀଗୁଡ଼ିକୁ ନେଇ ‘ବେଷ୍ଟ ପ୍ରାକ୍ଟିସେସ୍‌; ଆସ୍‌ପିରେସ୍‌ନାଲ୍‌ ଡିସ୍‌ଷ୍ଟିକ୍‌ସ୍‌’ ନାମକ ଏକ ପୁସ୍ତକ ପ୍ରକାଶ କରାଯାଇଛି। ଏଥିରେ ଦେଶର ଆକାଂକ୍ଷୀ ଜିଲ୍ଲାମାନଙ୍କର ୫୫ଟି ସଫଳ କାହାଣୀ ଦର୍ଶାଯାଇଛି। ପୁସ୍ତକରେ ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ ୬ଟି ଜିଲ୍ଲା କନ୍ଧମାଳ, ଢ଼େଙ୍କାନାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡିର ସଫଳ କାହାଣୀକୁ ସାମିଲ କରାଯାଇଛି।

କନ୍ଧମାଳ ଜିଲ୍ଲାରେ ସଂସ୍ଥାଗତ ପ୍ରସବ ପ୍ରତି ଉତ୍ସାହିତ କରିବା ପାଇଁ ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ କରାଯାଇଥିବା ବାଇକ ଆମ୍ବୁଲାନ୍ସ, ଅଟୋ ଆମ୍ପୁଲାନ୍ସ ତଥା ଡେଲିଭେରି ଭ୍ୟାନ୍‌ ବ୍ୟବସ୍ଥାକୁ ସଫଳ କାହାଣୀରେ ଦର୍ଶାଯାଇଛି। ଢ଼େଙ୍କାନାଳ ଜିଲ୍ଲାରେ ଗର୍ଭବତୀ ମହିଳାମାନଙ୍କ ପାଇଁ କଳ୍ପନା ଯୋଜନା ଅନ୍ତର୍ଗତ ଅଲଟ୍ରାସାଉଣ୍ଡ ସନୋଗ୍ରାଫି ଯୋଜନାର ସଫଳ କାହାଣୀକୁ ପୁସ୍ତକରେ ସ୍ଥାନ ଦିଆଯାଇଛି।

ସେହିଭଳି ଆକାଂକ୍ଷୀ ଜିଲ୍ଲା ରାୟଗଡ଼ାରେ ମାତୃ ମୃତ୍ୟୁ ସଂଖ୍ୟା ଓ ଶିଶୁ ମୃତ୍ୟୁ ସଂଖ୍ୟାକୁ ରୋକିବା ପାଇଁ ଆମ ସଂକଳ୍ପ ରଥଯାତ୍ରା ଦ୍ୱାରା ସଚେତନତା ସୃଷ୍ଟି କରାଯିବା କାର୍ଯ୍ୟକ୍ରମକୁ ସଫଳ କାହାଣୀରେ ସାମିଲ କରାଯାଇଛି। କୋରାପୁଟ ଜିଲ୍ଲାରେ ମ୍ୟାଲେରିଆଜନିତ ମୃତ୍ୟୁ ମାମଲାରେ ହ୍ରାସ ଆଣିବା ପାଇଁ ଜୁଲାଇ ୧୫, ୨୦୧୭ରୁ ଆରମ୍ଭ କରାଯାଇଥିବା ମିସନ୍‌-ଏପିଆଇ-୧୦ କାର୍ଯ୍ୟକ୍ରମକୁ ମଧ୍ୟ ପୁସ୍ତକରେ ସଫଳ କାହାଣୀର ଶ୍ରେଣୀରେ ଅର୍ନ୍ତଭୁକ୍ତ କରାଯାଇଛି। ଆକାଂକ୍ଷୀ ଜିଲ୍ଲାରେ ସାମିଲ ଥିବା ଗଜପତି ଜିଲ୍ଲାରେ ଗୁଣବତ୍ତା ଶିକ୍ଷା ପ୍ରସଙ୍ଗରେ ୨୦୧୮ ଜୁନ୍‌ ୨୯ରୁ ଆରମ୍ଭ କରାଯାଇଥିବା ଟିଚ୍ ଗଜପତି କାର୍ଯ୍ୟକ୍ରମ ମଧ୍ୟ ନୀତି ଆୟୋଗର ସଫଳ କାହାଣୀର ସ୍ଥାନ ପାଇଛି। କଳାହାଣ୍ଡି ଜିଲ୍ଲାରେ ଗ୍ରାଭିଟି ଫ୍ଲୋ ସିଷ୍ଟମ ଅର୍ନ୍ତଗତ ପାହାଡିଆ ତଥା ଆଦିବାସୀ ଅଞ୍ଚଳରେ ବସବାସ କରୁଥିବା ପରିବାରକୁ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ମଧ୍ୟ ନୀତି ଆୟୋଗର ପ୍ରକାଶିତ ପୁସ୍ତକରେ ସଫଳ କାହାଣୀର ମାନ୍ୟତା ମିଳିଛି।

ସମ୍ବନ୍ଧିତ ଖବର